ବୌଦ୍ଧ,୧୪/୬- ଜାତୀୟ ସ୍ୱାସ୍ଥ୍ୟମିଶନ୍ ତାଲିମ୍ କକ୍ଷରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ବୌଦ୍ଧରେ ରକ୍ତଦାନ ଭଳି ମହତ କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାରେ ରୋଗୀଙ୍କ ଆବଶ୍ୟକତା ମୁତାବକ ରକ୍ତ ଭରଣା କରିବା ପାଇଁ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ରକ୍ତଦାନ ଶିବିର ମାନ ଆୟୋଜନ କରିବାକୁ ଅନୁଷ୍ଠାନ ମାନଙ୍କୁ ଆଗେଇ ଆସିବାକୁ ଅନୁରୋଧ କରାଯାଇଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅଭୟ କୁମାର ଦାଶ, ରକ୍ତଭଣ୍ଡାର ଅଧିକାରୀ ଡା. ରାମଚନ୍ଦ୍ର ଦେଓ ହେମ୍ରମ୍, ଡେପୁଟି କଲେକ୍ଟର୍ ଅବନୀକାନ୍ତ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ, ରୋଟାରି କ୍ଲବ୍, ଗଣମାଧ୍ୟମର ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଆଶାକର୍ମୀ, ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ପରେ ପରେ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରା ଯାଇଥିଲା ।