ବୌଦ୍ଧ : ଶିକ୍ଷା ବିଭାଗର କିରାଣି ବଦଳିରେ ପ୍ରିୟାପ୍ରୀତି ଅଭିଯୋଗ

ବୌଦ୍ଧ,୧୦/୧୨- ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ, ବରିଷ୍ଠ କିରାଣି ମାନଙ୍କର ବଦଳି ଆଦେଶକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅନୁମୋଦନ କରିଛି । ୬ ବର୍ଷରୁ ଅଧିକ ସମୟ ଧରି ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ତାଲିକା ଶିକ୍ଷା ନିର୍ଦ୍ଦେଶାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପଠାଯାଇଥିଲା । ଉକ୍ତ ଚିଠି ନଂ ୩୨୮୨ ତା ୩୦. ୯ .୨୦୨୦ କୁ ନେଇ ବର୍ତ୍ତମାନ ସବୁଠି ଆଲୋଚନା ଚାଲିଛି । ଏ ଚିଠିରେ ଶିକ୍ଷା ନିର୍ଦ୍ଦେଶାଳୟକୁ ଯେଉଁ ସୂଚନା ଦିଆଯାଇଛି ତାହା ଭ୍ରମାତ୍ମକ ଓ ସତ୍ୟତାକୁ ଲୁଚାଯାଇଛି ବୋଲି ଆଲୋଚନା ଜୋର୍‌ ଧରିଛି । ଅନୁକମ୍ପା ଆଧାରରେ ଶିକ୍ଷକ ପିତାଙ୍କ ମୃତ୍ୟୁ ପରେ ଚାକିରି ପାଇଥିବା ଜଣେ କନିଷ୍ଠ କିରାଣୀ ତେଲିବନ୍ଧ ସରକାରୀ ୟୂ.ଜି. ହାଇ ସ୍କୁଲରେ କାର୍ଯ୍ୟ କରୁଥିଲେ । ତାଙ୍କୁ ଡେପୁଟେସନରେ ୨୦୧୩ ମସିହା ଜୁଲାଇ ମାସରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୦୧୪ ମସିହାରେ ବରିଷ୍ଠ କିରାଣିକୁ ପଦୋନ୍ନତି, ୨୦୧୭ ମସିହାରେ ନିଲମ୍ବିତ ହୋଇ ସେହି କାର୍ଯ୍ୟାଳୟ ରେ ହିଁ ପୁନଃ ନିଯୁକ୍ତ ହୋଇଥିଲେ । ୨୦୨୦ ମସିହାରେ ମୁଖ୍ୟ କିରାଣିକୁ ପଦୋନ୍ନତି ହୋଇ ସେହିଠାରେ ହିଁ କାର୍ଯ୍ୟ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶାଳୟକୁ ପଠା ଯାଇଥିବା ସୁଚନାରେ ସେ ମାତ୍ର ଉକ୍ତ କାର୍ଯ୍ୟାଳୟରେ ୨ ବର୍ଷ ୨ ମାସ ହେଲା କାର୍ଯ୍ୟ କରୁଥିବା ଉଲ୍ଲେଖ ହୋଇଛି । ବଦଳି ନ ହେବା ପାଇଁ ସେଥିରେ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି ବୋଲି ଆଲୋଚନା ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଂପୃକ୍ତ କିରାଣି ହିଁ ଉକ୍ତ ଫାଇଲ୍‌ ଡିଲ କରିଛନ୍ତି ଓ ତାଙ୍କର ସ୍ୱାକ୍ଷର ମଧ୍ୟ ରହିଛି । ସେହିପରି କିଛି କିରାଣୀଙ୍କୁ ସୁବିଧା ସ୍ଥାନରେ ରଖାଇବା ପାଇଁ ଦୁଇ ଚାରି ମାସ ଭିତରେ ବଦଳି ହୋଇଥିବା କିରାଣି ମାନଙ୍କୁ ପୁନର୍ବାର ବଦଳି କରାଯାଇଛି । ବଦଳିରେ ପ୍ରିୟାପ୍ରୀତି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର୍‌ । ଯାହାବି ହୋଇଛି ଶିକ୍ଷା ନିର୍ଦ୍ଦେଶାଳୟରୁ ହୋଇଛି ଓ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଶ୍ରୀ କୁଜୁର୍‌ କହିଛନ୍ତି ।

Comments (0)
Add Comment