ବୌଦ୍ଧ,୧୫/୧୧- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିବାର ଧାରଣାରେ ବସି ଅଭିନବ ଉପାୟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ସେମାନେ ସାଙ୍ଗରେ କିଛି ଗୋମାତାଙ୍କୁ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଘଟଣାଟି ହେଉଛି ବୌଦ୍ଧବ୍ଲକ ଖଲିଆପାଲି ପଞ୍ଚାୟତ ତାଳପଦର ଗ୍ରାମର ଗୋ-ସେବକ କାର୍ତ୍ତିକ ମହାକୁଡଙ୍କ ପ୍ରାୟ ୩୦ ଗୋଟି ଗାଈ ଅଛି । ମନରେଗା ଯୋଜନାରେ ଗାଈ ଗୁହାଳ ପାଇବାପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଆଦର୍ଶ ଗୁହାଳଖଣ୍ଡେ ମିଳିପାରିନାହିଁ । ୩୦ ଗୋଟି ଗାଈ ଥିବାବେଳେ ତାଙ୍କୁ ଗୁହାଳ ନମିଳିବାରୁ ଏପରି ଅଭିନବ ଉପାୟ ସେ କରିଥିବା କହିଛନ୍ତି । ବର୍ତ୍ତମାନ ଶୀତଦିନ ଆସିଯାଇଥିବାରୁ ଗାଈଗୋରୁ ଥଣ୍ଡା କାକରରେ ପଡିରହି ଦେହ ଖରାପ ହେବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଶ୍ରୀ ମହାକୁଡଙ୍କ ପରିବାରର ଅନ୍ୟ ସଦସ୍ୟ ରୋହିତ ମହାକୁଡଙ୍କ ସମେତ ସାଧୁ ଖମାରୀ, ସୁରେନ୍ଦ୍ର ସିଂ, ଦିଲ୍ଲୀପ କର୍ମୀ, ଅଯତ୍ନ ଥାଟ୍ଟୀ, ଶ୍ରୀହରି ପ୍ରଧାନ, ସୁରୁ ଗରିଆ ପ୍ରମୁଖ ଧାରଣାରେ ବସିଛନ୍ତି ।