ପଲିଥିନ ବ୍ୟବହାର ନକରିବାକୁ ସଚେତନ କଲେ ଛାତ୍ରଛାତ୍ରୀ

ବୌଦ୍ଧ,୨୩/୨:- ବୌଦ୍ଧଜିଲ୍ଲା ବଘିଆପଡା ଠାରେ ପ୍ରତି ବୁଧବାର ସାପ୍ତାହିକ ହାଟ ବସୁଥିବାବେଳେ ଏଠାକୁ ବୌଦ୍ଧ ସହର ସହିତ ଶତାଧିକ ଗ୍ରାମର ହଜାର ହଜାର ଲୋକ ଆସି କିଣାବିକା କରିଥାନ୍ତି । ଫଳରେ ଏଠାରେ ଲକ୍ଷାଧିକ ପଲିଥିନ ବ୍ୟାଗ ବ୍ୟବହୃତ ହୋଇଥାଏ ଓ ପରିବେଶକୁ ନଷ୍ଟ କରିଥାଏ । ଏହାଦେଖି ହାଟକୁ ଲାଗି ରହିଥିବା ବଘିଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଲୋକଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଥିଲେ । ସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଦ୍ୟାଳୟର ଇକୋ-କ୍ଲବ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ବିଦ୍ୟାଳୟ ସମ୍ମୁଖ ଓ ହାଟ ସମ୍ମୁଖରେ ଦୁଇ ଧାଡ଼ିରେ ରହି ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ଅଥବା କମ୍‌ କରିବାପାଇଁ ବିଭିନ୍ନ ସ୍ଲୋଗାନ ଦେଇଥିଲେ ଏବଂ ପଲିଥିନର ଭୟାବହତା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ଡାକଟିକଟ ପ୍ରଦର୍ଶନୀରେ ବ୍ରୋଞ୍ଜ ମେଡାଲ ଜିତିଥିବା ବୌଦ୍ଧର ବିଶ୍ୱନାଥ ମିଶ୍ର ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଏସ୍‌ଏମ୍‌ସି ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ, ଶିକ୍ଷକ ଜୟ ମହ ।ନନ୍ଦିଆ ଓ ସତ୍ୟାନନ୍ଦ ଦନାୟକ ,ଶିକ୍ଷୟିତ୍ରୀ କୁମୁଦିନୀ ମଲ୍ଲିକ ,ବିଥିକା ସାମନ୍ତରାୟ ,ମାଳତୀ ହରିପାଲ ଓ ଦୀପାଞ୍ଜଳୀ ମଲ୍ଲିକ ସଂଚାଳନ କରିଥିଲେ । ବିଦ୍ୟାଳୟର ଏହି ମହତ ପ୍ରୟାସକୁ ଲୋକମାନେ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।

Comments (0)
Add Comment