ବିପଦପୂର୍ଣ୍ଣ ଡ୍ରେନ, ଏନ.ଏଚ. ବିଭାଗର ଦୃଷ୍ଟି ପଡୁ !

ବୌଦ୍ଧ,୨୯/୧୦ – ବୌଦ୍ଧ ସହର ଏନ.ଏ.ସି. ଛକ ଠାରୁ ରାଜନ୍‌ପାଲି ଛକ ଦେଇ ଜାମୁଛକ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ କାମ ବର୍ଷ ବର୍ଷ ଧରି ଚାଲିଛି । ରାସ୍ତା ପାର୍ଶ୍ୱରେ ନିର୍ମାଣ ହୋଇଥିବା ଡ୍ରେନ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି । କୋଉଠି ଡ୍ରେନ ଉପରେ ପ୍ଲେଟ୍‌ ପଡିଛି ତ କୋଉଠି ପଡିନାହିଁ । ଫଳରେ ପ୍ରତିଦିନ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୁଏ । ବୌଦ୍ଧସହରର ବାବୁସାହି ପାର୍ଶ୍ୱରେ ଆଶୁତୋଷ ମିଶ୍ରଙ୍କ ଘର ସାମ୍ନାରେ ଡ୍ରେନ ଢାଙ୍କିବା ପାଇଁ କୌଣସି ପ୍ଲେଟ୍‌ ପକା ନଯାଇ ଖାଲି ଛଡା ଯାଇଥିବା ଯୋଗୁଁ ପାର୍ଶ୍ୱରେ ଥିବା ଏକ ଫାଷ୍ଟ ଫୁଡ ଦୋକାନର ଗ୍ରାହକମାନେ ବିଭିନ୍ନ ସମୟରେ ଗଳି ପଡୁଥିବା ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଜାତୀୟ ରାଜପଥ ବିଭାଗ କିମ୍ବା ଠିକାଦାର କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୁଏ । ସେହିପରି ଉକ୍ତ ରାସ୍ତା କାମ ଅଧାପନ୍ତରିଆ ଭାବେ ଠିକା ସଂସ୍ଥା ପକାଇ ଦେଇଥିବା ହେତୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ରାସ୍ତାରେ ଧୂଳି ଉଡି ସମସ୍ୟା ସୃଷ୍ଟି କରୁଛି । ଏ ସମ୍ପର୍କରେ ମଧ୍ୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment