ବୌଦ୍ଧ,୧୪/୧୨ – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ବୌଦ୍ଧର ସଦସ୍ୟ ଥିବା ୬ ଜଣ ଶିକ୍ଷକଙ୍କ ପକ୍ଷରୁ ଆଜି ବୌଦ୍ଧ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲେଭେଲ୍ ୫ (ବି) ରୁ ଲେଭେଲ୍ ୪ କୁ ପଦୋନ୍ନତି ଦାବୀରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେଥି ସହିତ ଚିଠି ନମ୍ବର୍ ୨୦୪୫ ତା ୧୫. ୧୦. ୨୦୨୦ରେ ଲେଭେଲ୍ ୫ (ଏ) ରୁ ୫ (ବି) ପଦୋନ୍ନତି ପାଇ ସାରିଥିବା ଶିକ୍ଷକ ମାନଙ୍କୁ ପୁନର୍ବାର ଗ୍ରେଡେସନ୍ ଲିଷ୍ଟରେ ଦସ୍ତଖତ ମାରିବା ପାଇଁ ଡିସେମ୍ବର୍ ୧୪ ତାରିଖ ଠାରୁ ୧୯ ତାରିଖ ମଧ୍ୟରେ ବୌଦ୍ଧ ବି.ଇ.ଓ.ଙ୍କ କାର୍ଯ୍ୟାଳୟକୁ ଆସିବାକୁ ଦିଆଯାଇଥିବା ଚିଠି ୩୩୯୩ ତା ୧୧. ୧୨. ୨୦୨୦ କୁ ବିରୋଧ କରିଛନ୍ତି । ସେମାନଙ୍କୁ ଲେଭେଲ୍ ୫ (ବି)ରୁ ଲେଭେଲ୍ ୪କୁ ପଦୋନ୍ନତି ପାଇଁ ଗ୍ରେଡେସନ୍ ଲିଷ୍ଟ ପ୍ରସ୍ତୁତ କରି ପଦୋନ୍ନତି ଦିଆଯିବାକୁ ଦାବି କରିଛନ୍ତି । ପଦୋନ୍ନତି ପରେ ପୁନର୍ବାର ଗ୍ରେଡେସନ୍ ଲିଷ୍ଟରେ ଶିକ୍ଷକଙ୍କ ସ୍ୱାକ୍ଷର ମରାଯିବାର କାରଣ ସମ୍ପର୍କରେ ବି.ଇ.ଓ. ଧ୍ରୁବଚରଣ ଘିବେଲାଙ୍କ ପ୍ରତିକ୍ରିୟା ନେଇଥିଲୁ । ପୁର୍ବରୁ ପ୍ରସ୍ତୁତ ହୋଇ ପଦୋନ୍ନତି ଦିଆ ଯାଇଥିବା ଗ୍ରେଡେସନ୍ ଲିଷ୍ଟରେ କେତେକ ତଥ୍ୟ ଭୁଲ୍ ଥିଲା ତାକୁ ସଂଶୋଧନ କରାଯାଇଛି ଓ ସେଥିରେ ଦସ୍ତଖତ ପାଇଁ ଶିକ୍ଷକ ମାନଙ୍କୁ ଡକାଯାଇଛି ବୋଲି ଶ୍ରୀ ଘିବେଲା କହିଥିଲେ । ଆଜି ବି.ଇ.ଓ. ଙ୍କୁ ପ୍ରଦତ୍ତ ଦାବିପତ୍ରରେ ଶ୍ରୀନିବାସ ମିଶ୍ର, ବିନାୟକ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ଦିଲ୍ଲୀପ କୁମାର୍ ପ୍ରଧାନ, ଯୋଗେଶ୍ୱର ମିଶ୍ର ଓ ପଙ୍କଜିନୀ ବିଶ୍ୱାଳ ପ୍ରମୁଖ ସ୍ୱାକ୍ଷର କରିଛନ୍ତି ।