ହାଟ ବଜାରରେ କୋଭିଡ୍‌ ପ୍ରୋଟୋକଲ ଉଲ୍ଲଙ୍ଘନ, ଦେଖିବାକୁ କେହିନାହିଁ !

ବୌଦ୍ଧ,୬/୫- ଜିଲ୍ଲାରେ କରୋନା ସଂକ୍ରମଣ ଦୃତଗତିରେ ବଢି ଚାଲିଥିବା ବେଳେ ବିଭିନ୍ନ ହାଟ ବଜାରରେ କୋଭିଡ୍‌ ପ୍ରୋଟୋକୋଲ ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ହାଟ ବଜାରକୁ କ୍ରୟ ବିକ୍ରୟ ପାଇଁ ଆସୁଥିବା ଅନେକ ଲୋକ ମାସ୍କ ପରିଧାନ ନ କରିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା ହେତୁ ସଂକ୍ରମଣ ଆଗକୁ ଆହୁରି ବ୍ୟାପିବାର ଆଶଙ୍କା କରାଯାଉଛି । ବିଶେଷ ଭାବରେ ବୌଦ୍ଧ ସହରର ଡେଲି ମାର୍କେଟ ଓ ଶନିବାର ସାପ୍ତାହିକ ବଜାର ସମେତ ବାଉଁଶୁଣୀ, ମନମୁଣ୍ଡା, ପୁରୁଣାକଟକ, କଣ୍ଟାମାଳ, ଦୈନିକ ବଜାର ଗୁଡିକରେ ଖୋଲାଖୋଲି କୋଭିଡ୍‌ ନିୟମର ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଜିଲ୍ଲାରେ ଜିଲ୍ଲାପାଳଙ୍କ ବାରଣ ସତ୍ତେ୍ୱ ଅନେକ ସାପ୍ତାହିକ ବଜାର ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ବିଲାସପୁର ସାପ୍ତାହିକ ବଜାରରେ କୋଭିଡ୍‌ ନିୟମ କ୍ରେତା ବିକ୍ରେତା କେହି ମାନୁନଥିବା ଦୃଷ୍ଟିଗୋଚର ହୋଇଥିଲା । ବାଉଁଶୁଣୀ ଦୈନିକ ବଜାରରେ ମଧ୍ୟ ଜନଗହଳି ହେଉଥିବା ବେଳେ ଲୋକେ କୋଭିଡ୍‌ ପ୍ରୋଟୋକୋଲ ଖୋଲାଖୋଲି ଉଲଙ୍ଘନ କରୁଛନ୍ତି । ସ୍ଥାନୀୟ ପୋଲିସ୍‌ ଏ ସମସ୍ତ ଅବ୍ୟବସ୍ଥାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଆଜି ଜିଲ୍ଲାରେ ରେକର୍ଡକାଳୀନ ଦୈନିକ ସଂକ୍ରମଣ ୨୫୦ରେ ପହଞ୍ଚିଥିବାବେଳେ କୋଭିଡ୍‌ ପ୍ରୋଟୋକୋଲ ପାଳନରେ ଅବହେଳା କରାଗଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଏହା ନିଃସନ୍ଦେହ ।

Comments (0)
Add Comment