ବୌଦ୍ଧ,୨/୪- ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ବୌଦ୍ଧ ଶାଖା ତରଫରୁ ୧୪ ଦଫା ଦାବିନେଇ ଆଜି ଏକ ବିକ୍ଷୋଭ ଶୋଭାଯାତ୍ରା ବୌଦ୍ଧରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଏହି ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ହଜାରହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସେମାନଙ୍କ ଦାବି ମଧ୍ୟରେ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ମାସକୁ ୨୧ହଜାର ଟଙ୍କା ଓ ସହାୟିକାଙ୍କୁ ୧୫ହଜାର ଟଙ୍କା ପ୍ରଦାନ, ବରିଷ୍ଠତା ଭିତ୍ତିରେ ଦରମା ବୃଦ୍ଧି ସହିତ ଇନକ୍ରିମେଣ୍ଟ ପ୍ରଦାନ, ରବିବାର କିମ୍ବା ଛୁଟିଦିନରେ କାମକଲେ ୨ଗୁଣା ଦରମା ପ୍ରଦାନ, ପୋଷଣ କାର୍ଯ୍ୟ ଓ ସମସ୍ତ ଅନଲାଇନ କାର୍ଯ୍ୟ ସଠିକ ତଥା ଠିକ ଭାବେ କରିବାପାଇଁ ଉନ୍ନତମାନର ମୋବାଇଲ ପ୍ରଦାନ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡିଙ୍କୁ ବାଦ ଦିଆଯିବା ସହିତ ବଜାର ଦରକୁ ଆଖିଆଗରେ ରଖି ଗରମ ରନ୍ଧା ଖାଦ୍ୟର ମୂଲ୍ୟବୃଦ୍ଧି, ସୋପାନ କାର୍ଯ୍ୟକ୍ରମର ଉପଯୁକ୍ତ ପ୍ରାପ୍ୟ ନଦେବା ପର୍ଯ୍ୟନ୍ତ ସେଥିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ୍ ଦେବା ପ୍ରମୁଖ ରହିଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଶ୍ରୀନିବାସ ସାହୁ , ସଂପାଦକ ଲୋକନାଥ ଶତପଥୀ, ଅଙ୍ଗନୱାଡି ଜିଲ୍ଲା ସଭାପତି ସତ୍ୟବତୀ ସାହୁ, ସଂପାଦକ ଉର୍ମିଳା ମହାପାତ୍ରଙ୍କ ସମେତ ଅଙ୍ଗନୱାଡି କର୍ମୀମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।