କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ପତ୍ନୀଙ୍କୁ ୫୦ଲକ୍ଷ ଟଙ୍କା ଚେକ୍‌ ପ୍ରଦାନ

ବୌଦ୍ଧଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ

ବୌଦ୍ଧ,୨୪/୧୨ – ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ କୋଭିଡ ଯୋଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ଶିଶୁ ବିଶେଷଜ୍ଞ ସ୍ୱର୍ଗତ ଡା. ବିଶ୍ୱନାଥ ରାଉତଙ୍କ ପତ୍ନୀ ସ୍ୱାଗତିକା ସ୍ୱାଇଁଙ୍କୁ ଜିଲ୍ଲାପାଳ ୫୦ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ । ପରେପରେ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ରୋଗୀ କଲ୍ୟାଣ ନିମିତ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସମୀକ୍ଷା କରିଥିଲେ ଓ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କାର୍ଯ୍ୟଗୁଡିକୁ ସାରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଆନୁଷ୍ଠାନିକ ପ୍ରସବ, ଶିଶୁ ସ୍ୱାସ୍ଥ୍ୟ, ନିୟମିତ ଟୀକାକରଣ, ପରିବାର କଲ୍ୟାଣ, ଆଶା ଓ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ, ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ ତଥା ଅଣସଂକ୍ରାମକ ରୋଗ ନିରାକରଣ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ଏହି ବୈଠକରେ କୋଭିଡ ଟୀକାକରଣ ଓ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପଲସ ପୋଲିଓ ଟୀକାଦାନ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ଆବଶ୍ୟକୀୟ ତଥ୍ୟର ଆକଳନ ତଥା ଏଥିନିମନ୍ତେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର ସହଯୋଗ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବ୍ଲକସ୍ତରରେ ପ୍ରତି ସପ୍ତାହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ମିଟିଂ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ ମହାପାତ୍ର, ପରିବାର କଲ୍ୟାଣ ଅଧିକାରୀ ଡା. ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂନିରୀକ୍ଷଣ ଅଧିକାରୀ ଡା. ଅବନୀନ୍ଦ୍ରନାଥ ସାହୁ, ଡିପିଏମ ରୂପକ କୁମାର ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ ତଥା ସ୍ୱାସ୍ଥ୍ୟ ବିଭାଗର ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment