ବୌଦ୍ଧ,୩୦/୧୦:- ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଜ଼ିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଧରିତ୍ରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ ଏବଂ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ମିତବ୍ୟୟିତା ଓ ସଞ୍ଚୟ ମଧ୍ୟରେ ରହିଥିବା ତଫାତ୍ ବିଷୟରେ ଆଲୋକପାତ କରିଥିଲେ । ଲିଡ଼ ବ୍ୟାଙ୍କ ଅଫିସରଶ୍ରୀଯୁକ୍ତ ଡନ ବାସକୋଟି ଆର୍ଥିକ ଅନ୍ତର୍ଭୁକ୍ତି କରଣ ବିଷୟରେ ଓ ଦୁର୍ଘଟଣା ଜନିତ ମୃତ୍ୟୁ ନିମନ୍ତେ ଥିବା ବୀମା ଯେପରି ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଓ ଡିଜିଟାଲ ଦେଣନେଣ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆଇପିଓ କୃଷ୍ଣ ଶତପଥୀ ବିଭିନ୍ନ ଡାକଘର ଯୋଜନା ଯେପରି କିଶାନ ବିକାଶ ପତ୍ର, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ପୋଷ୍ଟାଲ ଲାଇଫ ଇନସୁରେନ୍ସ, ଗ୍ରୁପ ଆକ୍ସିଡେଣ୍ଟାଲ ଇନସୁରେନ୍ସ, ବିଶେଷକରି ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ବିସ୍ତୃତ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ଦେବବ୍ରତ ସାହୁ ଆଇ.ପି.ବି. ବ୍ୟାଙ୍କ ମ୍ୟାନେଜର, ବୌଦ୍ଧ କିପରି ପୋଷ୍ଟ ଅଫିସ ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ଡାକ ସେବକଙ୍କ ମାଧ୍ୟମରେ ଡିଜିଟାଲ ବ୍ୟଙ୍କିଂ ସୁବିଧା ଯୋଗାଏ ଏବଂ ଏହା କେତେ ପ୍ରତିଶତ ସୁରକ୍ଷିତ ସେ ବିଷୟ ରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ଆଜିକାଲିର ସବୁଠୁ ଚିନ୍ତାର ବିଷୟ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିବା ଏବଂ କିପରି ସଚେତନ ରହିବା ଏହି ବିଷୟରେ ସ୍ପଷ୍ଟ ଭାବେ ଡି. ଏସ. ପି, ବୌଦ୍ଧ ଶ୍ରୀଯୁକ୍ତ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଏବଂ ଭାବାନନ୍ଦ ପ୍ରଧାନ, ଆଇ.ଆଇ. ସି, ବୌଦ୍ଧ ଶ୍ରୀଯୁକ୍ତ ନଳିନୀକାନ୍ତ ଦାଶ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ନାୟକ ଜୀବନରେ ଧନର ମହତ୍ୱ, ଟଙ୍କାର ସଦୁପଯୋଗ ଓ ଲୁଟ/ଠକେଇ ଠାରୁ କିପରି ଟଙ୍କାକୁ ସୁରକ୍ଷିତ ରଖିବା ସେନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ବକ୍ରୃତା, ପୋଷ୍ଟର, କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ ସହ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର ଶୁଭେନ୍ଦୁ କୁମାର ଜେନା, ବିବେକାନନ୍ଦ ମିଶ୍ର, ସହକାରୀ ଜ଼ିଲ୍ଲାପାଳ ଅକୃର କୁମାର ଯାନୀ ଏବଂ ସମସ୍ତ ବରିଷ୍ଠ ରାଜସ୍ୱ ସହାୟକ, କନିଷ୍ଠ ରାଜସ୍ୱ ସହାୟକ ଉପସ୍ଥିତ ଥିଲେ ।