ବୌଦ୍ଧ: ଆହୁରି କୋହଳ ହେଲା ଲକ୍‌ଡାଉନ ସମୟ

ବୌଦ୍ଧ,୧/୯-ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେପ୍‌ଟେମ୍ବର ପହିଲାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍‌ କଟକଣାକୁ ଟିକିଏ କୋହଳ କରିଛନ୍ତି । ଗତ ଅଗଷ୍ଟ ୧୬ ତାରିଖଠାରୁ ଅଗଷ୍ଟ ଶେଷ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୭ ଘଣ୍ଟା ଯାଏଁ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଥିଲେ । ସେହିପରି ଆଜି ଠାରୁ ଅନ୍ୟାଦେଶ ଯାଏଁ ସକାଳ ୬ ଘଣ୍ଟା ଠାରୁ ରାତି ୧୦ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଆଦି ଖୋଲିବା ସହ ନାଗରିକଙ୍କ ଚଳାଚଳ ପାଇଁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ଜିଲ୍ଲାରେ ସକାଳ ୭ ଘଣ୍ଟା ଠାରୁ ରାତି ୧୦ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ହୋଟେଲ ଓ ରେସ୍ତୁରାଣ୍ଟ ପାର୍ସଲ ଦେଇ ପାରିବେ । ଠେଲା ଜଳଖିଆ ଦୋକାନ, ଫାଷ୍ଟଫୁଡ ଦୋକାନ ଆଦି ରାତି ୧୦ ଘଣ୍ଟା ଯାଏଁ ଖୋଲି ପାର୍ସଲ ବିକ୍ରୀ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି । ସମସ୍ତ ଲଜ୍‌ଗୁଡିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଲଜ ଗୁଡିକରେ ରହୁଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଅଛି । ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି କାର୍ଯ୍ୟ ନିର୍ଘଣ୍ଟ ମଧ୍ୟରେ ଖୋଲା ରହିବ ।
ଏହା ସହିତ ରାତି ୧୦ ଘଣ୍ଟା ଠାରୁ ସକାଳ ୬ ଘଣ୍ଟା ଯାଏଁ ପୂର୍ବଭଳି ଲକ ଡାଉନ ବଳବତ୍ତର ରହିବ । ଲକ ଡାଉନ୍‌ ସମୟରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳୀନ ପରିସ୍ଥିତିରେ ଘରୁ ବାହାରକୁ ବାହାରିବା ପାଇଁ ଜିଲାପାଳ ଅନୁରୋଧ କରିଛନ୍ତି । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି । ଯିଏ ଖିଲାପ କରିବେ ତାଙ୍କ ନାମରେ ମାମଲା ରୁଜୁ କରାଯିବ ଓ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । ଆଜିର ଜିଲ୍ଲାପାଳଙ୍କ ଆଦେଶକୁ ବ୍ୟବସାୟୀ ମହଲରେ ଓ ଜନସାଧାରଣରେ ସ୍ୱାଗତ କରାଯାଇଛି ।

Comments (0)
Add Comment