ବୌଦ୍ଧ / ବାଉଁଶୁଣୀ,୧୨/୯ – ସରକାର ମନରେଗା ଯୋଜନାରେ ଆରମ୍ଭ କରିଥିବା ଆମ ବଗିଚା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ସରକାରୀ ଜମି ମାନଙ୍କରେ ଫଳ ଓ ଦୀର୍ଘ ମିଆଦି ପନିପରିବା ଚାରା ରୋପଣ କରାଉଛନ୍ତି । ମାତ୍ର ଗ୍ରାମ୍ୟ ବିବାଦ ଓ ନକରାତ୍ମକ ଭାବନା ଯୋଗୁଁ ଏ ଯୋଜନା କେତେ ଫଳପ୍ରଦ ହେବ ତାହା ସମୟ କହିବ । ଗତରାତିରେ ବାଉଁଶୁଣୀ ଗ୍ରାମ ପଞ୍ଚାୟତର ଛେଳିବାହାଲ୍ ଗ୍ରାମରେ ଘଟିଥିବା ଘଟଣା ଏ ଯୋଜନା ପ୍ରତି ଉପହାସ କରିଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛେଳିବାହାଲ୍ ଗ୍ରାମରେ ଥିବା ବଡ଼ ବନ୍ଧ ହୁଡାରେ ମନରେଗା ଯୋଜନାରେ ପଞ୍ଚ଼ାୟତ ତରଫରୁ ୨୦୦ ଗୋଟି ନଡିଆ ଗଛ ଆମ ବଗିଚା କାର୍ଯ୍ୟକ୍ରମ ମାଧ୍ୟମରେ ଲଗାଯାଇଥିଲା । ହେଲେ ଦୁଃଖର କଥା ଗତକାଲି ରାତିରେ ଦୁର୍ବୃତ୍ତମାନେ କିଛିଦିନ ତଳେ ହୁଡାରେ ଲଗାଯାଇଥିବା ସମସ୍ତ ନଡିଆ ଗଛକୁ ଓପାଡି ପୋଖରୀ ଭିତରେ ଫିଙ୍ଗି ଦେଇଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା । କିଏ ଓ କାହିଁକି ଏଭଳି କଲା କୌଣସି ସୂଚନା ମିଳିନଥିବାବେଳେ ରାଜନୈତିକ ଶତ୍ରୁତା କିମ୍ବା ଗ୍ରାମ୍ୟବିବାଦ ଏହାର କାରଣ ହୋଇଥାଇପାରେ ବୋଲି ଆଲୋଚନା ହେଉଛି । ସରପଞ୍ଚ କିମ୍ବା ପଂଚାୟତ ନିର୍ବାହୀ ଅଧିକାରୀ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିନଥିବା ବେଳେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।