ମୁଣ୍ଡିପଦର ଓ ମୁଣ୍ଡାପଡା ସମିତିରେ ସ୍ୱାଭାବିକହେଲା ଧାନକିଣା

ବୌଦ୍ଧ,୧୨/୧୨ – ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଓ ମୁଣ୍ଡାପଡା ସେବା ସମବାୟ ସମିତିର ଧାନକିଣାକୁ ନେଇ ହୋଇଥିବା ଅଚଳାବସ୍ଥା ପ୍ରଶାସନର ହସ୍ତକ୍ଷେପ ପରେ ଦୂର ହୋଇଥିବା ଜଣାପଡିଛି । ମୁଣ୍ଡିପଦର ସମିତିର ଧାନମଣ୍ଡି କାଶଲପୁର୍‌ ମାର୍କେଟୟାର୍ଡକୁ ପରିବର୍ତ୍ତନ କରିବା ପାଇଁ ପ୍ରଶାସନ ନେଇଥିବା ନିଷ୍ପତିକୁ କିଛି ମୁଷ୍ଟିମେୟ ଚାଷୀ ବିରୋଧକରି ସମିତି ପରିସରରେ ଧାନ ଗଦାଇଥିଲେ । ନୂତନ ଧାନକ୍ରୟ ସ୍ଥାନକୁ ଧାନ ନ ଆଣିବାକୁ ଜିଦ୍‌ ଧରିଥିଲେ । ପ୍ରାୟ ୫ ଦିନ ଧରି ଚାଷୀମାନେ ଧାନରଖିବା ପରେ ଗତକାଲି ପ୍ରଶାସନର କଡା ଆଭିମୁଖ୍ୟ ଫଳରେ କାଶଲପୁର୍‌ ମଣ୍ଡିକୁ ଧାନବିକ୍ରୟ ପାଇଁ ଆଣିବାକୁ ବାଧ୍ୟ ହୋଇଥିଲେ ଓ ଧାନକ୍ରୟ ସ୍ୱାଭାବିକ ହୋଇଥିଲା ଓ ଗତକାଲି ୭ ଜଣ ଚାଷୀଙ୍କ ଠାରୁ ୪୦୭. ୭୮ କ୍ୱିଣ୍ଟାଲ୍‌ ଧାନ କ୍ରୟ କରାଯାଇଥିବା ଜଣାପଡିଛି ।
ସେହିପରି ମୁଣ୍ଡାପଡା ସମିତି ପରିସରରେ ହେଉଥିବା ଧାନ କ୍ରୟ କେନ୍ଦ୍ରକୁ ତାଲା ପକାଇ ଚାଷୀମାନେ ସମ୍ପାଦକ ଓ ସମିତିରେ ଡି.ଇ.ଓ. ଥିବା ତାଙ୍କ ପୁଅଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଉଭୟେ ମଣ୍ଡି ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା କରୁଥିବା ଓ ଧାନ ବେପାରୀଙ୍କୁ ସୁଯୋଗ ଦେଇ ଚାଷୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଓ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ମୁଣ୍ଡାପଡା ପହଂଚି ତଦନ୍ତ କରିଥିଲେ । ଏଭଳି କାମ ଭବିଷ୍ୟତରେ ଆଉ କରିବେ ନାହିଁ ବୋଲି ଚାଷୀମାନଙ୍କ ଉପସ୍ଥିତିରେ ସମ୍ପାଦକଙ୍କଠାରୁ ଗୋଟିଏ ସ୍ୱୀକାରୋକ୍ତି ପତ୍ର ଲେଖାଇବା ପରେ ଉତ୍ୟକ୍ତ ଚାଷୀମାନେ ଶାନ୍ତ ହୋଇଥିଲେ ଓ ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା । କେବଳ ମୁଣ୍ଡିପଦର କି ମୁଣ୍ଡାପଡା ନୁହେଁ ଜିଲ୍ଲାର କେତେକ ମଣ୍ଡିରେ ଧାନ କ୍ରୟ ଆରମ୍ଭରୁ ଦଲାଲିରାଜ ଚାଲିଥିବା ନିୟମିତ ଅଭିଯୋଗ ହୋଇ ଆସୁଥିବାରୁ ପ୍ରଶାସନ ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment