ବୌଦ୍ଧ /ବାଉଁଶୁଣୀ,୨୬/୧୧ – ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣୀ ଷ୍ଟେଟ୍ ବ୍ୟାଙ୍କ ନିକଟରେ ରାସ୍ତା କଡରେ ପଡିଥିବା ମାଟି ଗଦା ଉପରେ ଚଢି ଯାଇ ଗୋଟିଏ ବାଇକ ଦୁର୍ଘଟଣା ହେବାରୁ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ବଜାରରେ ବିଭିନ୍ନ ଦୋକାନରେ କାମ କରୁଥିବା ତିନି ଜଣ ବ୍ୟକ୍ତି ଘରକୁ ଯିବା ପାଇଁ ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଗାଡିରେ ପେଟ୍ରୋଲ୍ ପକାଇବାକୁ ପେଟ୍ରୋଲ୍ ପମ୍ପ ଆଡକୁ ଯାଉଥିଲେ । ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ କରୁଥିବା ଏଲ. ଏଣ୍ଡ ଟି. କମ୍ପାନୀ ପାଇପ ବିଛାଇବା ପାଇଁ ରାସ୍ତା ପାର୍ଶ୍ୱରେ ଗାତ ଖୋଳି ଜମା କରି ରଖିଥିବା ଗଦା ଉପରେ ବାଇକ ଚଢି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣା ହେବା ଯୋଗୁଁ ଗୁନ୍ଦୁଲିଆ ଅଂଚଳର ବରୁଣ ସାହୁ(୨୩ ) ନାମକ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସେହିପରି କନ୍ଧରିଆପଡା ଗ୍ରାମର ନାରାୟଣ ଭୋଇ (୨୬ ) ଓ ବୃନ୍ଦାବନ ମଧ୍ୟ ଆହତ ହୋଇଛନ୍ତି । ପ୍ରଥମେ ୩ ଜଣଙ୍କୁ ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ବରୁଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନସ୍ ଯୋଗେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଉକ୍ତ ଘରୋଇ ଠିକା ସଂସ୍ଥା ଠିକ୍ ଭାବରେ ଗାତ ଖୋଳି ପୋତୁ ନ ଥିବାରୁ ବିଭିନ୍ନ ସ୍ଥାନରେ ପ୍ରତିଦିନ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି ।