ବୌଦ୍ଧ,୧୯/୪- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍ ଗ୍ରାମରେ ଗତ କିଛିଦିନ ହେଲା ଛେଳି ମଡକ ଦେଖାଦେଇଥିବା ବେଳେ ପ୍ରାଣୀ ବିଭାଗ ବେଫିକର୍ ରହିଥିବା ଛେଳି ଚାଷୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେଲାମାଲ୍ ଗ୍ରାମରେ ଗତ କିଛିଦିନ ହେଲା କୌଣସି ଅଜଣା ରୋଗରେ ପୀଡିତ ହୋଇ ଅନେକ ଛେଳି ମରି ସାରିଲେଣି । ଗ୍ରାମର ସୁଶୀଲ କହଁରଙ୍କ ୭ ଗୋଟି, ଆଶାରାମ୍ ମହାକୁଡଙ୍କ ୫ ଗୋଟି, ସୀତାରାମ ମହାକୁଡଙ୍କ ୭ ଗୋଟି ଛେଳି ମୃତ୍ୟୁବରଣ କରିସାରିଥିବା ବେଳେ ଆହୁରି ଅନେକ ଚାଷୀଙ୍କ ବହୁ ସଂଖ୍ୟାରେ ଛେଳି ରୋଗାକ୍ରାନ୍ତ ଥିବା ଜଣାପଡିଛି । ଏ ସମ୍ପର୍କରେ କଣ୍ଟାମାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସହାୟତା ମିଳିପାରିନଥିବା ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ କଣ୍ଟାମାଳ ପ୍ରାଣୀ ଚିକିତ୍ସକ ଗାଁକୁ ଥରେ ଆସିଥିଲେ ଓ ଛେଳିମଡକ ସମ୍ପର୍କରେ ଅନୁଧ୍ୟାନ କରି ଯାଇଥିଲେ ମାତ୍ର ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।