ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଅବସ୍ଥା ବେହାଲ

ହରଭଙ୍ଗା,୨୬/୯ –ରାସ୍ତାଘାଟ ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ନିୟମକୁ ଉଲ୍ଲଂଘନ କରି ଭାରିଯାନ ଚଳାଚଳ ଯୋଗୁଁ ଗ୍ରାମାଞ୍ଚଳ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରକାଶଥାଉକି ହରଭଙ୍ଗା ବ୍ଲକର ହରଭଙ୍ଗା-ଧଳପୁର ରାସ୍ତାଟି ଜଗନ୍ନାଥସଡକ ନାମରେ ପରିଚିତ । ଏହି ରାସ୍ତାଟି ୨୦୧୮-୧୯ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ୬କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଟେଣ୍ଡର କରାଯାଇ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟଟି ୨୦୨୦ ମାର୍ଚ୍ଚମାସରେ ଶେଷ ହୋଇଥିଲା । ଏହି ରାସ୍ତାଟି ଏକ ଗ୍ରାମାଞ୍ଚଳ ରାସ୍ତା ଅଟେ । ଏକ ରାସ୍ତା ଉପରେ ୫ଟି ପଞ୍ଚାୟତବାସୀ ନିର୍ଭର କରନ୍ତି । ଏହି ରାସ୍ତାଦେଇ ଅନବରତ ଭାରିଯାନ ଚଳାଚଳ କରୁଛି । ଫଳରେ ରାସ୍ତା ଦବିଯିବା ସହ ବଡବଡ ଖାଲଖମାରେ ଭର୍ତ୍ତି ହୋଇଯାଇଛି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ଖାଲହେବାସହ ପିଚୁ ଦବିଯାଇ ଖାଲଖମା ହୋଇପଡିରହିଛି । ଫଳରେ ଯାତାୟାତରେ ପଥଚାରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ନିକଟରେ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁର ଠିକାସଂସ୍ଥା କାମ କରୁଛି । ଏହି ସେତୁକୁ ୩୦ ରୁ ୪୦ ଟନ୍‌ ଭାରିଯାନ ଚଳାଚଳ କରୁଛି । ଯାହାଫଳରେ ରାସ୍ତା ଦବିଯାଇ ଖାଲଖମା ସୃଷ୍ଟି କରୁଛି । ଫଳରେ ଅଞ୍ଚଳବାସୀ ଯିବାଆସିବାରେ ଅସୁବିଧା ହେଉଛି । ଏନେଇ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ ହୃଷିକେଶ ବରଦାଙ୍କୁ ପଚାରିବାରୁ ସେ କହିଲେ ଯେ ରାସ୍ତାଟି ଏବେ ନିର୍ମାଣ ସରିଛି । ଏହି ରାସ୍ତା ୧୦ଟନ୍‌ କ୍ଷମତା ରାସ୍ତା ଅଟେ । କିନ୍ତୁ ପୂର୍ତ୍ତ ବିଭାଗର ନିର୍ମାଣଧୀନ ସେତୁ କାର୍ଯ୍ୟକୁ ୩୦ ରୁ ୪୦ ଟନ୍‌ ଓଜନର ମାଲପରିବହନ ଯୋଗୁଁ ଏପରି ଅବସ୍ଥା ହୋଇଛି । ଏଣୁ ଏହି ରାସ୍ତାରେ ଭାରିଯାନ ଚଳାଚଳକୁ ବାରଣ କରାଯିବ ବୋଲି ସେ କହିଛନ୍ତି । ଖୁବଶୀଘ୍ର ରାସ୍ତା ମରାମତି କାର୍ଯ୍ୟ ଶେଷ କରାଯାଇ ଅଞ୍ଚଳବାସୀ ଭାରିଯାନ ଚଳାଚଳକୁ ବନ୍ଦ କରିବାକୁ ଦାବି ହେଉଛି ।

Comments (0)
Add Comment