ବୌଦ୍ଧ/ବାଉଁଶୁଣୀ,୮/୧୦ – ବୌଦ୍ଧ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ତାଲସରଡା ଗ୍ରାମ ପଂଚାୟତ ସଂଗ୍ରାମପୁର ଗଉଁତିଆ ବ୍ରଜ ମୋହନ ବେହେରାଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ହଠାତ୍ ସେ ଅସୁସ୍ଥ ଅନୁଭବ କରିବା ପରେ ପରିବାରବର୍ଗ ଚିକତ୍ସା ପାଇଁ ବଲାଙ୍ଗୀର ନେଇଥିଲେ ଓ ସେଠାରେ ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାଙ୍କ ଶବକୁ ରାତି ପ୍ରାୟ ୨ ଘଣ୍ଟା ସମୟରେ ସାହାଜପାଲକୁ ଅଣାଯାଇଥିଲା । ତାଙ୍କ ମୃତ୍ୟୁ ଖବର ସକାଳୁ ବିଦ୍ୟୁତ୍ ବେଗରେ ପ୍ରଚାରିତ ହୋଇଥିଲା ଓ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଆତ୍ମୀୟ ସ୍ୱଜନ ଓ ପରିଚିତଙ୍କ ସୁଅ ଛୁଟିଥିଲା ।
ବ୍ରଜ ମୋହନ ବେହେରାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ସମ୍ମାନାର୍ଥେ ଆଜି ବଣିକ ସଂଘ ତରଫରୁ ସାହାଜପାଲ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଥିବା ଜଣାପଡିଛି । ସ୍ୱର୍ଗତ ବେହେରା ତାଲସରଡା ଗ୍ରାମ ପଂଚାୟତର ପ୍ରଥମ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି ୧୯୯୭ ମସିହାରୁ ୨୦୦୨ ମସିହା ଯାଏଁ ବୌଦ୍ଧ ବ୍ଲକର ଚେୟାରମ୍ୟାନ ଥିଲେ । ମୁଣ୍ଡିପଦର ସେବା ସମବାୟ ସମିତିର ସଭାପତି ଭାବେ ଅନେକ ବର୍ଷ ଧରି କାର୍ଯ୍ୟ କରିଥିଲେ । ତାଙ୍କର ୪ ପୁଅ ଓ ୫ ଝିଅ ଅଛନ୍ତି ।