ସାମ୍ୱାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା…ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍‌ର ପ୍ରତିବାଦ ସହ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବୌଦ୍ଧ,୯/୪- ବାଲେଶ୍ୱର ଜିଲ୍ଲା ନୀଳଗିରି ସାମ୍ୱାଦିକ ଲୋକନାଥ ଦଳେଇଙ୍କ ଗୋଡରେ ଅମାନୁଷିକ ଭାବରେ ପୋଲିସ ବେଡି ପକାଇବା ଘଟଣାକୁ ନେଇ ଚାରିଆଡେ ଅସନ୍ତୋଷ ବଢିବାରେ ଲାଗିଛି । ବୌଦ୍ଧକୁ ମଧ୍ୟ ବ୍ୟାପିଛି ବାଲେଶ୍ୱର ତାତି । ଏହି ଘଟଣାକୁ ଜୋରଦାର ପ୍ରତିବାଦ କରିଛି ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍‌ । ଆଜି ସ୍ଥାନୀୟ ସାମ୍ୱାଦିକ ଫୋରମ୍‌ ଠାରେ ଏ ନେଇ ଏକ ଜରୁରୀ ବୈଠକ ଡକାଯାଇଥିଲା । ଜିଲ୍ଲା ପ୍ରେସ କ୍ଳବ୍‌ ସଭାପତି ବରଜ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଘଟଣାକୁ ନିନ୍ଦା କରିବା ସହିତ ଏହାର ପ୍ରତିବାଦ କରାଯାଇଥିଲା । ବୈଠକ ପରେ ସାମ୍ୱାଦିକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ସ୍ଳୋଗାନ ଓ ନାରାବାଜି କରି ପ୍ରତିବାଦ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଶୀଘ୍ର ଏଥିରେ ସଂପୃକ୍ତ ନୀଳଗିରି ଥାନା ଅଧିକାରୀ ଏବଂ ବାଲେଶ୍ୱର ଏସ.ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛି ବୌଦ୍ଧ ଜିଲ୍ଲା ପ୍ରେସ୍‌ କ୍ଳବ୍‌ । ଏହି ପ୍ରତିବାଦ ସଭାରେ କ୍ଳବ୍‌ର ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀଙ୍କ ସମେତ କ୍ଳବର ସଦସ୍ୟ ପ୍ରଦୋଷ ମିଶ୍ର, ଦେବାନନ୍ଦ ସାହୁ, ଦୁର୍ଯ୍ୟୋଧନ ବିଶି, ଦିବ୍ୟରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ମିଶ୍ର, ଅବଦୁଲ ମହସିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment