ବୌଦ୍ଧ,୨୧/୪- ବିଜେପି ବୌଦ୍ଧଜିଲ୍ଲାର ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ମଣ୍ଡଳ ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ରାଜ୍ୟ ବିଜେପିର ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଭାଗିରଥୀ ପ୍ରଧାନ ଓ ଶ୍ରୀ ଅଶୋକ କୁମାର ପୁଝାରୀ ରାଜ୍ୟ ବରିଷ୍ଠ ବିଜେପି ନେତା ଦ୍ୱୟ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଗତ ତ୍ରିସ୍ତରୀୟ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଚାରିଗୋଟି ବିନ୍ଦୁ ଦର୍ଶିତ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଜେପି ନେତୃବୃନ୍ଦଙ୍କ ସହିତ ସମସ୍ତ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀ ପ୍ରାର୍ଥୀନୀମାନେ ଯୋଗଦାନ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧଗଡର ୭ ନମ୍ବର ୱାର୍ଡରେ ବିଜୟୀ ପ୍ରାର୍ଥିନୀ ସୁଶ୍ରୀ ସସ୍ମିତା ମେହେର ଓ ୧୨ ନମ୍ବର ୱାର୍ଡର ଶ୍ରୀମତି ବୁନ୍ଦୁରି ନାୟକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ବିଜେପିର ଦୁଇଜଣ ନାରୀନେତ୍ରୀଙ୍କ ବିଜୟପାଇଁ ରାଜ୍ୟ ବିଜେପି ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଧାନ ଓ ଶ୍ରୀ ପୁଝାରୀ ତାଙ୍କର ଶୁଭେଚ୍ଛା ଜଣାଇଥିଲେ ।