ବୌଦ୍ଧର ବରିଷ୍ଠ ସାମ୍ବାଦିକ ଜନାର୍ଦ୍ଦନ ନେପାକଙ୍କ ପରଲୋକ

ବୌଦ୍ଧ,୧୯/୮- ବୌଦ୍ଧଜିଲ୍ଲା ବାଉଁଶୁଣୀ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଜନାର୍ଦ୍ଦନ ନେପାକଙ୍କ ଆଜି ଅପରାହ୍ନ ୩ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ୪୦ ବର୍ଷ ଧରି ସେ ସାମ୍ବାଦିକତା ପେଶାରେ ରହିଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ କିଛି ବର୍ଷ ହେଲା ସେ ସାମ୍ବାଦିକତା କ୍ଷେତ୍ରରୁ ଦୂରେଇ ଯାଇଥିଲେ । ସ୍ୱର୍ଗତ ନେପାକ ଜଣେ ମେଳାପୀ, ପରୋପକାରୀ ବ୍ୟକ୍ତି ଥିଲେ । ନିଜ ଅଞ୍ଚଳର ଅଭାବ ଅସୁବିଧା, ସମସ୍ୟାକୁ ସେ ଖବର ମାଧ୍ୟମରେ ପ୍ରସାରଣ କରି ପ୍ରଶାସନର ଦୃଷ୍ଟିଆକର୍ଷଣ କରିପାରୁଥିଲେ । ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ମଧ୍ୟ ଲୋକଲୋଚନକୁ ଆଣିପାରିଥିଲେ । ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିଥିଲେ । ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ପ୍ରତିଷ୍ଠାତା ସଂପାଦକ ମଧ୍ୟ ଥିଲେ । ଦୈନିକ ଖବରକାଗଜ ‘ହୀରାଞ୍ଚଳ’ ସଂପାଦକ ଯୁଗଳ କିଶୋର ସାମଲ, ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତ ତାଙ୍କ ପରଲୋକ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି । ବାଉଁଶୁଣୀ ଅଞ୍ଚଳ ତଥା ବୌଦ୍ଧରେ ତାଙ୍କ ପରଲୋକ ଖବର ଶୁଣି ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment