ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ବୌଦ୍ଧ,୩/୩:- ଆଜି ସନ୍ଧ୍ୟାରେ ସ୍ଥାନୀୟ କଚେରୀ ପଡିଆ ଠାରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଫିତାକାଟି ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀ ଏବଂ ଫୁଲବାଣୀ କୃଷି ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ସାହୁ ଯୋଗ ଦେଇଥିଲେ ।

ଅତିଥିମାନେ ଚାଷୀମାନେ ଉନ୍ନତ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଧାନ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଓ ପନିପରିବା ଚାଷ ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ଅମାତଙ୍କ ଦ୍ୱାରା କୃଷକ ମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା ଏବଂ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମେଳାରେ ଉନ୍ନତ କୃଷି ଯନ୍ତ୍ରପାତି, କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଯନ୍ତ୍ର, କୃଷି ସମ୍ପର୍କିତ ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବିକ୍ରୟକାରୀ ତଥା ନିର୍ମାଣକାରୀ ସଂସ୍ଥା ତାଙ୍କର ଆଧୁନିକ ଫାର୍ମ ଯନ୍ତ୍ରପାତି ପ୍ରଦର୍ଶନ କରିଛନ୍ତିି । କୃଷି ଓ କୃଷକ ସମ୍ବନ୍ଧୀୟ ବିଭିନ୍ନ ହିତକାରୀ ଯୋଜନାର ଷ୍ଟଲ୍‌ ମଧ୍ୟ ଖୋଲାଯାଇଛି । ଏହି ମେଳା ଜରିଆରେ ରିହାତି ଦରରେ କୃଷି ଯନ୍ତ୍ରପାତି ବିକ୍ରୟର ବ୍ୟବସ୍ଥା ରହିଛି । ଏହି ମେଳା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment