ବୌଦ୍ଧ,୭/୧୦- ଆଜି ୬୭ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ରିଜଛକ ଠାରୁ ଏହି ମାରାଥନ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବନ୍ୟଜନ୍ତୁ ଅସୁରକ୍ଷିତ ହେବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାସହ ପରିସଂସ୍ଥା ଉପରେ ପ୍ରଭାବ ପଡୁଥିବାରୁ, ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ଏହି ମାରାଥନର ଆୟୋଜନ କରାଯାଇଥିଲା ।
ଯୁବ ରେଡ଼କ୍ରସ, ଏନ ସି ସି, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ଶହେ ଜଣ ଏହି ମାରାଥନରେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଏହାର ଶୁଭାରମ୍ଭ କରିଥିଲେ ଏବଂ ଅଧ୍ୟାପକ ପ୍ରବୀର ଦାସ ମାରାଥନ ପରିଚାଳନା କରିଥିଲେ । ବୌଦ୍ଧ ଡ଼ି ଏଫ ଓ ଦେବପ୍ରିୟ କମ୍ପଙ୍କ ସମେତ ଜଙ୍ଗଲ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।