ବୌଦ୍ଧ: ଶ୍ରୀଜୀଉମାନଙ୍କ ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ

ବୌଦ୍ଧ,୧୪/୬- ବୌଦ୍ଧସହରରେ ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ମୁଖ୍ୟ ପୂଜକ ସୁରମଣି ପଣ୍ଡା ପୂଜକ ବିଭୁଦତ୍ତ ପଣ୍ଡାଙ୍କ ଦ୍ୱାରା ସ୍ନାନମଣ୍ଡପ ଉପରେ ପାରଂପରିକ ପୂଜାର୍ଚ୍ଚନା ପରେ ଦିନ ଘ୧୧.୧୫ ମିନିଟ ସମୟରେ ବ୍ରାହ୍ମଣ ସମାଜର କର୍ମକର୍ତ୍ତାମାନେ ମହାନଦୀକୁ ଯାଇ ଠାକୁରମାନଙ୍କ ସ୍ନାନ ପାଇଁ ଜଳ ଆଣିଥିଲେ । ଏହାପରେ ୧୦୮ ଗରା ଜଳରେ ତିନିଠାକୁରଙ୍କୁ ସ୍ନାନ କରାଯାଇଥିଲା । କେଉଟସାହି, ନୂଆସାହି ଓ କାଲେଶ୍ୱରରୁ ସଂକୀର୍ତ୍ତନ୍ୟ ଦଳ ଆସି ନାମ ସଂକୀର୍ତ୍ତନ୍ୟ କରିଥିଲେ । ପୂଜାରେ କର୍ତ୍ତାଭାବେ ମନ୍ଦିର କମିଟି ଉପଦେଷ୍ଟା ଅଖିଳଚାନ୍ଦ ମହାପାତ୍ର ଦାୟିତ୍ୱ ତୁଲାଇଥିଲେ । ସମସ୍ତ ବିଧି ଯେମିତି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ମନ୍ଦିର ପରିସରରେ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଉପସ୍ଥିତ ଥିଲେ । ମନ୍ଦିର କମିଟିର ସଭାପତି ରଘୁନାଥ ଷଡଙ୍ଗୀ ସଂପାଦକ ବିଶ୍ୱଜିତ ମିଶ୍ର ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ । ଏହାପରେ ବେଶକାରୀ ଆଶୁତୋଷ ଦାଶ, କୃଷ୍ଣଚନ୍ଦ୍ର ମିଶ୍ର, ସୁଧୀର ମହାପାତ୍ର ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ହାତୀବେଶରେ ସଜାଇଥିଲେ ।

Comments (0)
Add Comment