ଡିଇଓ ବୌଦ୍ଧଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବୌଦ୍ଧ,୧୦/୨:- ବୌଦ୍ଧ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଗତ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୧୦ଘଣ୍ଟା ରୁ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟା ବିଦ୍ୟାଳୟରେ ଉପସ୍ଥିତ ରହି ଆଭାସି, ଓ ଶଙ୍କା ମୋଚନ ପ୍ରତ୍ୟକ୍ଷ ଶିକ୍ଷଣ କାର୍ଯ୍ୟ ଛୋଟ ଛୋଟ ଦଳରେ କୋଭିଡ ନିୟମ ପାଳନ ପୂର୍ବକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଉକ୍ତ କାର୍ଯ୍ୟକୁ ତଦାରଖ ସକାଶେ କଣ୍ଟାମାଳ ବ୍ଲକର କିଛି ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବାବେଳେ କିଛି ବ୍ୟତିକ୍ରମ ଦେଖିବାରୁ ସେମାନଙ୍କ ସକାଶେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ବୀରନରସିଂପୁର କ୍ଲଷ୍ଟରର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମାଲିକୁଦ ୧୦ଟା ୧୦ ସୁଦ୍ଧା ଖୋଲା ନଥିଲା ଏବଂ ଛାତ୍ରଛାତ୍ରୀମାନେ ଗେଟ ସମ୍ମୁଖରେ ମୁଖ୍ୟ ରାସ୍ତା ଉପରେ ରୁଣ୍ଡ ହୋଇଥିଲେ । ତେଣୁ ଉକ୍ତ ସ୍କୁଲର ସମସ୍ତ ଶିକ୍ଷକଙ୍କୁ କୈଫିୟତ ତଲବ ସହିତ ଦରମା ବନ୍ଦ, ଖଟଖଟିଆ କ୍ଲଷ୍ଟରର ସାନ ମନମୁଣ୍ଡା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ପିଲାମାନେ ମାସ୍କ ପିନ୍ଧି ନଥିଲେ, ୪ଜଣ ଶିକ୍ଷକଙ୍କ ମଧ୍ୟରୁ ୨ଜଣ ଉପସ୍ଥିତ ଥିଲେ । ଅନୁପସ୍ଥିତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମହାପାତ୍ର ଓ ସହକାରୀ ଶିକ୍ଷକ ବୀରେନ୍ଦ୍ର କୁମାର ପ୍ରଧାନଙ୍କୁ କୈଫିୟତ ତଲବ ସହିତ ଦରମା ବନ୍ଦ ଏବଂ ଶିକ୍ଷୟିତ୍ରୀ ରଞ୍ଜିତା ମହାଲିକ ଓ ଶିକ୍ଷକ ଆନନ୍ଦ କୁମ୍ଭାର ଉପସ୍ଥିତ ଥାଇ ମଧ୍ୟ ପିଲାମାନେ କୋଭିଡ ନିୟମ ପାଳନ କରିନଥିବାରୁ ଏବଂ ଶିକ୍ଷଣରେ ଅବହେଳା ପାଇଁ କୈଫିୟତ ତଲବ ଓ ଦରମାବନ୍ଦ ଆଦେଶ ଦେଇଛନ୍ତି । ଦପଲା କ୍ଲଷ୍ଟରର ବଉଳସିଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଘ ୧-୧୫ ସମୟରେ ଜଣେ ଶିକ୍ଷକ ଉପସ୍ଥିତ ଥିଲେ ଏବଂ ସ୍କୁଲରେ ତାଲା ପଡିଥିଲା । ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷକ ଦିଲ୍ଲୀପ ମହାନ୍ତି, ଶିକ୍ଷକ ସୁଶାନ୍ତ କୁମାର ବଣ୍ଡକି, କେଶବ ପ୍ରଧାନ, ଲିଙ୍ଗରାଜ ତାଣ୍ଡିଆ, ଗୀତାଞ୍ଜଳି ବେହେରାଙ୍କୁ କୈଫତ ତଲବ ସହିତ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ତିନି କ୍ଲଷ୍ଟରର ସିଆରସିସି ମାନଙ୍କୁ ସେମାନଙ୍କ କ୍ଲଷ୍ଟରରେ ବିଭାଗୀୟ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉ ନଥିବାରୁ କୈଫୟତ ତଲବ ପାଇଁ ବିଇଓ କଣ୍ଟାମାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଉମା ଏବଂ ଲକ୍ଷ୍ମୀପ୍ରସାଦ ଠିକ ଭାବରେ କାର୍ଯ୍ୟ ଚାଲୁଥିବାର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମାଝୀ ଅନୁଭବ କରିବାରୁ ଖୁସି ବ୍ୟକ୍ତ କରିଥିଲେ ।

Comments (0)
Add Comment