ବୌଦ୍ଧ,୧୨ା୧: ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ ଝାଡ୍ରାଜିଙ୍ଗସ୍ଥିତ ତଫସିଲଭୁକ୍ତ ଜାତି ଓ ଜନଜାତି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏଥିସହିତ ବଡବନ୍ଧସ୍ଥିତ ଆବାସିକ କନ୍ୟାଶ୍ରମ, ଲୁଣିବାହାଲ ବାବୁ ଜଗଜୀବନ ଛାତ୍ରାବାସ ଓ ନିର୍ମାଣାଧିନ ୫-ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ ପରେ ବୌଦ୍ଧ ମୁଖ୍ୟଚିକିତ୍ସାଳୟସ୍ଥିତ କୋଭିଡ ଚିକିତ୍ସାଳୟକୁ ଯାଇ କୋଭିଡ ସ୍ଥିତି ନୀରିକ୍ଷଣ କରିବା ସହିତ ଅମ୍ଳଜାନ କାରଖାନା ପରିଦର୍ଶନ କରିଥିଲେ । ଏଥିସହିତ ଚିକିତ୍ସାଳୟ କର୍ମଚାରୀ, ସୁରକ୍ଷା କର୍ମଚାରୀ , ଆଇସିୟୁ ଓ ଭେଣ୍ଟିିଲେଟର ବ୍ୟବସ୍ଥା ଦେଖିଥିଲେ । ପରେ ଶ୍ରୀ ସାସମଲ ସର୍କିଟ ହାଉସ ଠାରେ କୋଭିଡ ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକରେ ଜିଲ୍ଲାରେ କୋଭିଡ ଓ ଓମିକ୍ରନର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ , ଜିଲାମୁଖ୍ୟ ଚିକିତ୍ସାଅଧିକାରୀ ଡା. ଅଭୟ କୁମାର ଦାସ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, କଣ୍ଟମାଳ ବିଡିଓ କଳାକୃଷ୍ଣ ପ୍ରଧାନ, ତହସିଲଦାର ରୀନା ପ୍ରଧାନ,ଡେପୁଟି କଲେକ୍ଟର ବିଜୟ କୁମାର ପ୍ରଧାନ, ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ, ଏଡିଏମଓ କିଶୋର ଚନ୍ଦ୍ର ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ରୂପକ କୁମାର ମହାପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଆଗକୁ ମକର ସଂକ୍ରାନ୍ତି ଏବଂ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗ୍ରାମମାନଙ୍କରେ ସଚେତନତାର ଆବଶ୍ୟକତା ଅଧିକ ରହିଛି ବୋଲି ପର୍ଯ୍ୟବେକ୍ଷକ ଶ୍ରୀ ସାସମଲ ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନ ଗୁଡିକରେ ସଚେତନତା ବାର୍ତ୍ତା , ବେନର ଓ ପୋଷ୍ଟର ଲଗାଇବା , ଗାଁ ଗାଁରେ ପ୍ରଚାର ପ୍ରସାର କରିବା ପାଇଁ ରଥ ବୁଲିବା, ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା , ଗାଁ କଲ୍ୟାଣ ସମିତି ଜରିଆରେ ମାସ୍କ ପିନ୍ଧିବା ପାଇଁ ଶପଥ କରାଇବା , ଏନସିସି , ସ୍କାଉଟ, ଗାଇଡ ଓ ବିଭିନ୍ନ ସଂପ୍ରଦାୟ ସହିତ ଗାଁ ଲୋକଙ୍କୁ ଏହି ସଚେତନତା ପାଇଁ ଦାୟିତ୍ୱ ଦେବା ଆଦି ଉପରେ ଗୁରତ୍ୱ ଦେବାସହ କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକାରେ ଯେପରି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ସାସମଲ ବୈଠକରେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଶ୍ରୀ ସାସମଲ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀମାନଙ୍କ ଉଦ୍ଦେଶ୍ୟରେ ନିର୍ମାଣାଧିନ ଆଦର୍ଶ କୃଷି ବଜାର ବୁଲି ଦେଖିବା ସହିତ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଜିଲ୍ଲାପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ ।