ବୌଦ୍ଧ,୮/୪- ବୌଦ୍ଧବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତର ସରଣ୍ଡା, ମୁର୍ଷୁଣ୍ଢି, ଭାଲିଆପଦର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ପାନୀୟଜଳ ସମସ୍ୟାନେଇ ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଉଲ୍ଲେଖ ଅଛି ଯେ ଗ୍ରାମବାସୀମାନେ ପାନୀୟଜଳ ଯୋଗାଣ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି । ଗ୍ରାମରେ ଥିବା ନଳକୂପ ଗୁଡିକ ଠିକ୍ ଭାବେ ଚାଲୁନାହିଁ କି ପାଣି ବାହାରୁନାହିଁ । ଯଦି କେଉଁ ନଳକୂପରେ ପାଣି ଆସୁଛି ତାହାଲେ ବହୁତ ଜୋରରେ ପ୍ରେସର ଦେଲେ ଯାଇ ପାଣି ଟିକେ ବାହାରୁଛି । ବର୍ତ୍ତମାନ ଖରାର ପ୍ରକୋପ ଅଧିକ ହୋଇଥିବାରୁ ଗାଁର ପୋଖରୀ ଗୁଡିକ ମଧ୍ୟ ଶୁଖିବାରେ ଲାଗିଲାଣି । ଫଳରେ ଗ୍ରାମବାସୀ ପାନୀୟଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୫ମାସ ତଳେ ମଧ୍ୟ ଜିଲ୍ଲା ପ୍ରଶାସନକୁ ଏନେଇ ଗ୍ରାମବାସୀ ଅବଗତ କରାଇଥିଲେ । କିନ୍ତୁ ଆଜିପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ । ଦାବିପତ୍ର ପ୍ରଦାନ ସମୟରେ ଗ୍ରାମବାସୀ ଶ୍ରବଣ କୁମାର ପାଣିଗ୍ରାହୀ, ପଦ୍ମା ଭୁକ୍ତା, ପୂର୍ଣ୍ଣଚନ୍ଦ୍ର ଭୋକ୍ତା, ପ୍ରସନ୍ନ ଭୁକ୍ତା, ସତ୍ୟନାରାୟଣ ଜେନା, ଅହଲ୍ୟା ପଗିଡା, ଜୟନ୍ତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସମସ୍ୟାର ଖୁବ ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ।