ବିଜୁଳି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ବିଜୁଳି କର୍ମଚାରୀ ସଂଘର ଆଲୋଚନା

ବୌଦ୍ଧ,୭/୧୧- ବୌଦ୍ଧ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଆଜି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଟିପିଏସଓଡିଏଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତଙ୍କ ସହ ଏକ ଆଲୋଚନା ହୋଇଯାଇଛି । ଏହି ଆଲୋଚନା ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘର ଡିଭିଜନ ସମ୍ପାଦକ ପ୍ରତାପ କୁମାର ପ୍ରଧାନ ଓ ଉପଦେଷ୍ଟା ଅବକାଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ବାଉଁଶୁଣୀ ଠାରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଠିକା ଶ୍ରମିକ ସୌଭାଗ୍ୟ ପ୍ରଧାନ ମୃତ୍ୟୁକୁ ୮ମାସରୁ ଉଦ୍ଧ୍ୱର୍ ଏବଂ ଆନନ୍ଦ ବେହେରା ୬ମାସରୁ ଉଦ୍ଧ୍ୱର୍ ସମୟ ଧରି କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ପାଇନଥିବାରୁ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ଶ୍ରମଆଇନକୁ ଉଲ୍ଲଂଘନ କରି ଠିକା ଶ୍ରମିକଙ୍କୁ ପ୍ରତ୍ୟହ ୧୨ଘଣ୍ଟା ଧରି କାର୍ଯ୍ୟକ୍ଷେତ୍ରରେ ନିୟୋଜିତ କରାଯାଉଥିବାବେଳେ ସେମାନଙ୍କୁ ଓଟି ପ୍ରଦାନ କରାନଯିବା ବିଡମ୍ବନାର ବିଷୟ ବୋଲି ସଂଗଠନ ପକ୍ଷରୁ ଆପତ୍ତିି କରାଯାଇଥିଲା । ବୌଦ୍ଧର ଷ୍ଟ୍ରକ୍‌ଚର ଷ୍ଟାଫ ୧୧ହଜାର ୮୨ଟଙ୍କା ଦରମା ପାଉଥିବାବେଳେ ରାଜ୍ୟର ଅନ୍ୟ ସମସ୍ତ ଡିଭିଜନର ଶ୍ରମିକ ମାନେ ୧୧୪୮୨ଟଙ୍କା ଦରମା ପାଉଛନ୍ତି । ଏ ପାତର ଅନ୍ତରନୀତିକୁ ସଂଗଠନ ପକ୍ଷରୁ ଦୃଢ ବିରୋଧ କରାଯାଇଥିଲା । ଏ ସମ୍ପର୍କରେ ସବିଶେଷ ଆଲୋଚନା କରିବା ପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆସନ୍ତା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଥିବା ଜଣାଯାଇଛି । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ ଗୁପ୍ତେଶ୍ୱର ପ୍ରଧାନ, ସୁନୀଲ କୁମାର ପ୍ରଧାନ, ସୀତାଂଶୁ ଶେଖର ବେହେରା, ତାପସ କୁମାର ବଡମାଳି, ପୁରୁଷୋତ୍ତମ ଭଞ୍ଜ, ଦେବାଶିଷ ପ୍ରଧାନ, ଚତୁରୁ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment