ବୌଦ୍ଧ,୫/୧- ବୌଦ୍ଧ ଜିଲ୍ଲାରେ ଚଳିତବର୍ଷର ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ କରାଯାଇଅଛି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ବିଭିନ୍ନ ପତ୍ରପତ୍ରିକାର ସମ୍ବାଦଦାତା ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ବବିତାରାଣୀ ଦଳବେହେରାଙ୍କ ଉପସ୍ଥିତିରେ ଶ୍ରୀ ସତ୍ୟଜିତ ମହାପାତ୍ର, ଡେପୁଟି ନିର୍ବାଚନ ଅଧିକାରୀ ଭୋଟର ତାଲିକାରର ଚୂଡାନ୍ତ ପ୍ରକାଶନ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କଲେ । ଚଳିତବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଥିଲା । ଏହି ଆପ ଦ୍ୱାରା ସାଧାରଣ ଜନତା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବରେ ଆବେଦନ କରିପାରିବେ କିମ୍ବା ନିଜର ବୁଥସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିଜ ନାମ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ । ଜିଲ୍ଲାର ମହିଳା ଭୋଟର ସଂଖ୍ୟା ରାଜ୍ୟ ହାରାହାରି ଠାରୁ କମ ଥିବାରୁ ଭୋଟର ପଞ୍ଜିକରଣ ଅଧିକାରୀ ସମସ୍ତ ରାଜନୈତିକ ଦଳର ବୁଥସ୍ତରୀୟ ପ୍ରତିନିଧିଙ୍କ ସହଯୋଗ ମାଗିଥିଲେ ଯେଭଳି ସମସ୍ତ ମହିଳା ଭୋଟର ଆଗାମୀ ଦିନରେ ପଞ୍ଜିକୃତ ହୋଇପାରିବେ । ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମହିଳା-୭୯୮୮୯, ପୁରୁଷ-୮୪୧୭୪, ତୃତୀୟ ଲିଙ୍ଗ-୩ ଏବଂ ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମହିଳା- ୭୭୮୦୭, ପୁରୁଷ-୮୨୯୧୬, ତୃତୀୟ ଲିଙ୍ଗ-୮ ପଞ୍ଜିକୃତ ହୋଇଛନ୍ତି । ଗତ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩୨୪୭୯୭ ଭୋଟର ପଞ୍ଜୀକୃତ ହୋଇଛନ୍ତି ବୋଲି ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ରବୀନ୍ଦ୍ର ନାଥ କହଁର ସୂଚନା ଦେଇଥିଲେ । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଭୋଟର ସାକ୍ଷରତା କ୍ଲବରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆସନ୍ତା ଜାନୁଆରୀ ୨୫ରେ ୧୩ତମ ଜାତୀୟ ଭୋଟର ଦିବସକୁ ସମସ୍ତ ବୁଥରେ ଏବଂ ଜିଲ୍ଲାସ୍ତରରେ ଆୟୋଜନ କରିବା ନିମନ୍ତେ ଆଜିର ବୈଠକରେ ଆଲୋଚନା ହୋଇଛି । ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ସମରେଶ ମିଶ୍ର, ବିଜୁ ଜନତା ଦଳରୁ ଶୀତାଂଶୁ ଶେଖର ମହାକୁଡ ଏବଂ ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ଦଳରୁ କେଦାରନାଥ ସାହୁ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଉପ ବିଭାଗ ଅଧିକାରୀ ବିଜୟ ପାଢୀ, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା ଏବଂ କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର, ମନୋଜ କୁମାର ବେହେରା ଓ ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।