ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଶୀଘ୍ର ନିର୍ମାଣ ଦାବିରେ ସଂଘର୍ଷ ସମିତିର ଗଣଧାରଣା

ବୌଦ୍ଧ,୧୪/୧୦ : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଶୀଘ୍ର ନିର୍ମାଣ ଦାବିରେ ଆଜି ବୌଦ୍ଧଜିଲ୍ଲା ସଂଘର୍ଷ ସମିତି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଦିନ ୧୦ଟାରୁ ୧ଟା ଯାଏଁ ଅନୁଷ୍ଠିତ ହୋଇଥିବା ଏହି ଗଣଧାରଣାରେ ୨୧ଟି ସଂଗଠନ ସାମିଲ ହୋଇଥିଲେ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର ବୌଦ୍ଧଜିଲ୍ଲା ସଂଯୋଜକ ବିଶେଶ୍ୱର ପୃଷ୍ଟିଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର ଶତାଧିକ ସଦସ୍ୟ ସମର୍ଥନ ଜଣାଇ ରେଳପଥ ନିର୍ମାଣରେ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରକାଶ କରି ନାରାବାଜି କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ଗତ ୧୯୯୫ ମସିହାରୁ ଅନୁମୋଦନ ପାଇ ଅଦ୍ୟାବଧି ୨୭ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇପାରୁନାହିଁ । ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଠାରୁ ବାଣିଗୋଚ୍ଛା ମଧ୍ୟରେ ଏହି ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ୫୯୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାରମ୍ଭିକ ସ୍ତରରେ ଅଛି । ଆଜିର ଏହି ଗଣଧାରଣାରେ ବୌଦ୍ଧଜିଲ୍ଲା ଭାରତୀୟ କିଷାନ ସଙ୍ଘ, ଭାରତୀୟ ମଜଦୁର ସଙ୍ଘ, ବଜରଙ୍ଗ ଦଳ, ଭାରତୀୟ ଜନତା ପାର୍ଟି, ଜିଲ୍ଲା କଂଗ୍ରେସ କମିଟି, କୋଶଲ ରାଜ୍ୟ ସମନ୍ୱୟ ସମିତି, ଜୀବନ ସେବା ସଂଘ, ଆଞ୍ଚଳିକ ବିକାଶ ପରିଷଦ, ରୁଦ୍ର ଭୈରବୀ କ୍ଲବ, କିଷାନ ସଂଘ, ବିଜେପି ମହିଳାମୋର୍ଚ୍ଚା, ଲେବର ୟୁନିଅନ, ପାଣ-ଗଣ୍ଡା ସମାଜ ବିକାଶ ପରିଷଦ, ଡୁମ୍ବାଳ ସଂଘ, ଜୟ ଭୈରବୀ କ୍ଲବ, ବରିଷ୍ଠ ନାଗରିକ ସଂଘ, ଜିଲ୍ଲା ବ୍ରାହ୍ମଣ ସମାଜ, ଅଟୋ ଚାଳକ ସଂଘ, ଆପ୍‌ ଭଳି ସଙ୍ଗଠନ ସାମିଲ ହୋଇଥିଲା । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ସଂକ୍ରାନ୍ତରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Comments (0)
Add Comment