ବୌଦ୍ଧ,୨୯/୯- ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ହରଭଙ୍ଗା ବ୍ଲକ ଆଡେନିଗଡ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ବିରଞ୍ଚି ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବିଡିଓ ସୁବାସ ଚନ୍ଦ୍ର ଯାନୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର କୁମାର ସେଠୀ ଏଲଡିଏମ ବୌଦ୍ଧ, ଏମ. ସଞ୍ଜୟ କୁମାର ଦୋରା, ଆସିଷ୍ଟାଣ୍ଟ ସୁପରିଟେଣ୍ଟ ପୋଷ୍ଟାଲ, ଫୁଲବାଣୀ ପ୍ରମୁଖ ମଞ୍ଚାସିନ ହୋଇ ସ୍ୱଳ୍ପ ସଂଚୟ ଓ ସୁରକ୍ଷିତ ସଂଚୟ ଉପରେ ମତବ୍ୟକ୍ତ କରିଥିଲେ । ନିଜର କଷ୍ଟ ଉପାର୍ଜିତ ଧନକୁ ଅଧିକ ଲାଭ ଆଶାରେ କୌଣସି ଚିଟଫଣ୍ଡ ସଂସ୍ଥାରେ ଜମା ନକରି ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ କିମ୍ବା ଡାକ ଘରେ ଜମା କରିବାକୁ ପରାମର୍ଶ ଦେଇଥିଲେ । ତା ନ ହେଲେ ଚିଟଫଣ୍ଡ ସଂସ୍ଥା ମାନଙ୍କ ପ୍ରଲୋଭନରେ ପଡି ଅଧିକ ସୁଧ ଆଶାରେ ମୂଳ ଟଙ୍କା ହରାଇବାକୁ ପଡିବ ବୋଲି ସତର୍କ କରାଇଥିଲେ । ସଭା ପ୍ରାରମ୍ଭରେ ସ୍ୱଳ୍ପ ସଂଚୟ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏମ. ସଞ୍ଜୟ କୁମାର ଦୋରା ଡାକ ଘରର ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା ଉପରେ ଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ, ବ୍ୟାଙ୍କ ଯୋଜନା ସମ୍ପର୍କ ରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଂଚୟ ଏଜେଣ୍ଟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।