ବୌଦ୍ଧ,୨/୬- ଦୟନୀୟ ଅବସ୍ଥାରେ ବୌଦ୍ଧଜିଲ୍ଲାର ଆଡେଣୀଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର । ହରଭଙ୍ଗା ବ୍ଲକର ୨୨ ଗୋଟି ପଞ୍ଚାୟତର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେଉଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଆଖିରେ ନଦେଖିଲେ ବୁଝିହେବନାହିଁ । ଯଦି ଲକ୍ଷାଧିକ ରୋଗୀ ନିର୍ଭର କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଏଭଳି ଅବହେଳା ପ୍ରଦର୍ଶନ କରାଯାଉଥାଏ ତେବେ ଏହି ବ୍ଲକର ସ୍ୱାସ୍ଥ୍ୟସେବା ସହଜେ ଅନୁମେୟ । ଏଠାରେ ଡାକ୍ତର ରହିବା ଘରଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ କୋଠା ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି ।
ଭିତ୍ତିଭୂମି ସୁଦୃଢ ସହ ଏଠାରେ ସ୍ୱାସ୍ଥ୍ୟସେବାର ଉନ୍ନତି ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ । ୨୨ଗୋଟି ପଞ୍ଚାୟତର ଲୋକଙ୍କ ସ୍ୱାସ୍ଥ୍ୟ ନିର୍ଭରଶୀଳତାକୁ ଉପଲବ୍ଧି କରି ୫-ଟି ସଚିବ ଦୃଷ୍ଟିଦେବାକୁ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଅନୁରୋଧ କରିଛନ୍ତି । ବୌଦ୍ଧଜିଲ୍ଲା ପ୍ରଶାସନ ଏଠାରେ ବିଭିନ୍ନ ଅବ୍ୟବସ୍ଥାରେ ଶୀଘ୍ର ସୁଧାର ଆଣିବାପାଇଁ ଚେଷ୍ଟା କରିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।