ଭକ୍ତି ଓ ନିଷ୍ଠାର ସହ ଜିଲ୍ଲାରେ ସର୍ବତ୍ର ସାବିତ୍ରୀ ବ୍ରତ ପାଳିତ

ବୌଦ୍ଧ,୧୦/୬- ବୌଦ୍ଧଜିଲ୍ଲାର କୋଣଅନୁକଣେ ଆଜି ଭକ୍ତି ଓ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳିତ ହେଉଛି । ବିବାହିତ ସଧବା ନାରୀମାନେ ପ୍ରତିବର୍ଷ ଓଡିଆ ଜ୍ୟେଷ୍ଠମାସର ପବିତ୍ର ଅମାବାସ୍ୟାର ଦିବସରେ ସ୍ୱାମୀଙ୍କ ମଙ୍ଗଳ କାମନା କରି ଉପବାସ ରହି ବ୍ରତ ପାଳନ କରନ୍ତି । ବ୍ରତରେ ନାରୀ ମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନଙ୍କୁ ପୂଜା କରିଥାନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ସ୍ୱାମୀ ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନାକରି ମାଦ୍ରଦେଶର ରାଜା ଅଶ୍ୱପତି ତାଙ୍କୁ କନ୍ୟା ରୁପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ସାବିତ୍ରୀ ଇଚ୍ଛା କରିଥିଲେ । ଆଜି ଜିଲ୍ଲାର ଘରେ ଘରେ ବିଭିନ୍ନ ଫଳ ଭୋଗ ଦେଇ ତୁଳସୀ ଚଉରା ମୁଳେ ସଧବା ନାରୀମାନେ ଦେବୀ ସାବିତ୍ରୀଙ୍କୁ ଆରାଧନାକରି ପୂଜା କରୁଥିବା ବେଳେ କେତେକ ବିଭିନ୍ନ ମନ୍ଦିରକୁ ଯାଇ ପୂଜା କରିଥିଲେ । କିଛି ବ୍ରତୀ ଏକାଠି ହୋଇ ମଧ୍ୟ ସାବୀତ୍ରୀ ବ୍ରତ ମିଳିତ ଭାବେ ପାଳନ କରୁଛନ୍ତି । ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମ ମାନଙ୍କରେ ଆଜି ସାବିତ୍ରୀ ବ୍ରତ ପୂଜା କୋଭିଡ ନିୟମ ପାଳନ କରି ସମସ୍ତେ ମୁହଁରେ ମାକ୍ସ ପରିଧାନ କରି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

Comments (0)
Add Comment