ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ

ବୌଦ୍ଧ,୭/୪:- ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଉଦଘାଟିତ ହୋଇଯାଇଛି । ଏହି ଦୁଇଦିନିଆ ପ୍ରଦର୍ଶନୀକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉଦଘାଟନ କରି ନୂତନ ନୂତନ ବୈଜ୍ଞାନିକ ତଥ୍ୟ ଅନ୍ୱେଷଣରେ ମନୋନିବେଶ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିବା ସହିତ ବିଜ୍ଞାନ ମାଧ୍ୟମରେ ସମାଜର ବିକାଶ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ ଯୋଗଦାନ କରି ସତ୍ୟର ସନ୍ଧାନ ହିଁ ବିଜ୍ଞାନ, ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେଲେ ଚିନ୍ତା ଶକ୍ତିର ବିକାଶ ହୋଇଥାଏ, ପ୍ରକଳ୍ପ ପଛରେ ଥିବା ନିୟମକୁ ଠିକ ଭାବରେ ବୁଝିବା ଆବଶ୍ୟକ, ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରଦର୍ଶନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ପଦ୍ମଜା ପତି ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ତିନୋଟି ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରୁ ମନୋନୀତ ହୋଇଥିବା ୩୫ ଟି ପ୍ରକଳ୍ପ ଉକ୍ତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିବା ବେଳେ କୁନି ବୈଜ୍ଞାନିକ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ୭୦ଜଣ ଯୋଗ ଦେଇଛନ୍ତି । ବିଚାରକ ଭାବରେ ବୌଦ୍ଧ ପଞ୍ଚଯାତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଓ ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ମୁଖ୍ୟ ପ୍ରଭୁଦତ୍ତ ହୋତା ଯୋଗଦାନ କରି ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ଅଖିଳ କୁମାର ପ୍ରଧାନ, ବରିଷ୍ଠ ବିଜ୍ଞାନ ଶିକ୍ଷକ ଓମ ପ୍ରକାଶ ପ୍ରଧାନ, ବାଉଁଶୁଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ହୃଦାନନ୍ଦ ଜାଲ, ସତ୍ୟନାରାୟଣ ଦେହୁରୀ, ସି ଆର ସି ସି ରାଜକୁମାର ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ, ସଞ୍ଜୟ କୁମାର ଦେହୁରୀ, ସନ୍ତୋଷ କୁମାର ଶତପଥୀ, ପୂର୍ଣ୍ଣ ଚନ୍ଦ୍ର କରଡିଆ, ନିରଞ୍ଜନ ମେହେର, ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରଦର୍ଶନୀ ଆସନ୍ତାକାଲି ଉଦ୍‌ଯାପିତ ହେବ ।

Comments (0)
Add Comment