ବୌଦ୍ଧ, ୧୩/୧୧ – ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟର ପାଚେରୀ ନୂତନ ଭାବରେ ୨ଲକ୍ଷ ଟଙ୍କା ଅନୁଦାନରେ ଗତ ଜୁନ୍ ମାସରେ ନିର୍ମାଣ ହୋଇଥିଲା । ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରେ ନିର୍ମିତ ଉକ୍ତ ପାଚେରୀର କାମ ଅତି ନିମ୍ନମାନର ହୋଇଥିବା ଓ ପ୍ଲିନଥ୍ ବେଣ୍ଡ ପକାନଯାଇ ତା ଉପରେ ପାଚେରୀ ନିର୍ମାଣ କରାଯାଇଥିବା ସମ୍ପର୍କରେ ଗତ ଜୁନ ୮ତାରିଖରେ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁର୍ବରୁ ଲେଖା ହୋଇନଥିବା ସୂଚନା ଫଳକ ଲେଖାଯାଇଥିଲା ଓ ସୃଷ୍ଟି ହୋଇଥିବା ପାଚେରୀର ଫାଟ ମରାମତି କରାଯାଇଥିଲା । ବର୍ତ୍ତମାନ ପୁଣି ପାଚେରୀର ଅନେକ ସ୍ଥାନରେ ନୂଆନୂଆ ଫାଟଗୁଡିକ ସୃଷ୍ଟି ହୋଇଛି । ଆଜି ଗ୍ରାମ ପଞ୍ଚାୟତ ତରଫରୁ ପୁନର୍ବାର ମରାମତି କାମ ଆରମ୍ଭ କରାଯାଇଛି । ପାଚେରୀ ଫାଟିଥିବା ସ୍ଥାନଗୁଡିକ ଫଟାଇ ମରାମତି କରାଇ ଦୁର୍ନୀତିକୁ ଘୋଡାଇବାର ଉଦ୍ୟମ ଚାଲିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଚାରି ମାସ ମଧ୍ୟରେ ନୂତନ ନିର୍ମିତ ପାଚେରୀ କିଭଳି ନିମ୍ନମାନରେ ତିଆରି ହୋଇଛି ଯେ ବାରମ୍ବାର ମରାମତି କରିବାକୁ ପଡୁଛି ସେ ଦିଗରେ ବିଡିଓ ତଦନ୍ତ କରିବା ଆବଶ୍ୟକ ବୋଲି ସେମାନେ ଦାବୀ କରିଛନ୍ତି ।