ବୌଦ୍ଧ/ଜହ୍ନାପଙ୍କ,୭/୮- ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଲୋକକଳା ଗ୍ରାମ ନାରାୟଣ ନଗର ଯୁଗ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ର ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ, ଭଳଭଦ୍ର ଓ ମାତା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ ପରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ବୁଣାକାର ମାନଙ୍କ ଦ୍ୱାରା ଉତ୍ପାଦିତ ସମ୍ବଲପୁରୀ ବସ୍ତ୍ର ପାଇଁ ଆଜି ବୌଦ୍ଧର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ବୋଲି କହିଥିଲେ । ଏଥିପାଇଁ ସବୁ ଶ୍ରେୟ ବୁଣାକାର ମାନଙ୍କର । ସମ୍ବଲପୁରୀ ବସ୍ତ୍ର ଦେଶ ତଥା ବିଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଯଦି ବୁଣାକାରମାନେ ତାଙ୍କର ବୁଦ୍ଧିର ନିପୁଣତା ଦେଖାଇବେ ତେବେ ଦିନେ ଆମେ ବିଦେଶରେ ଓଡିଶା ଗୌରବମୟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏଥିପାଇଁ ଜିଲ୍ଲା ପ୍ରଶାସନର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ଅଶ୍ୱିନୀ ମେହେର, ଡେ଼ପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ବିଡ଼ିଓ ଦେବୀ ପ୍ରସାଦ ଦାସ, ଆର୍କିଟେକ ସୁମନ ଷଡ଼ଙ୍ଗୀ,ସରପଞ୍ଚ ରାଜେନ୍ଦ୍ର ମେହେର ଓ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତିି ବଲିଆରସିଂ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ । ସଭାରେ ୫୦ ରୁ ଉର୍ଦ୍ଧ୍ୱ ବୁଣାକାର ଯୋଗଦେଇଥିଲେ । ପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଓ ଅତିଥିମାନେ କିଛି ବୁଣାକାରଙ୍କ ତନ୍ତ ବୁଲି ଦେଖିଥିଲେ ।