ବୌଦ୍ଧ,୨୫/୩- ଗରିବ ଲୋକ କିପରି ସୁବିଧାରେ ରହିପାରିବେ ଏଥିପାଇଁ ସରକାର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ ବିଜୁ ପକ୍କା ଘର ଯୋଜନାରେ ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି । ହେଲେ ମୂର୍ଷୁଣ୍ଢିି ପଂଚାୟତରେ ଏଇ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗରିବଙ୍କୁ ମିଳୁନାହିଁ ପକ୍କା ଘର, ଗରିବଙ୍କ ପାଇଁ ସାତ ସପନ ପାଲଟିଛି ପକ୍କାଘର । ଫଳରେ ଦୟନୀୟ ଅବସ୍ଥାରେ ଚଳୁଛନ୍ତି ଗୋଟିଏ ପରିବାରର ତିନି ଜଣ ମହିଳା । ଦାରିଦ୍ର୍ୟର ତାଡନାରେ ଦୁଇ ଝିଅର ହୋଇପାରିଲାନି ବିବାହ । ପୁଣି ଦି ଓଳି ଦି ମୁଠା ଖାଇବାକୁ ମଧ୍ୟ ମିଳୁନାହିଁ । ୭୦ବର୍ଷର ବୃଦ୍ଧାଙ୍କ ଭତ୍ତା ହିଁ ସାହା ଭରସା । ପୁଣି ସେପଟେ ମହିଳାଙ୍କୁ ନା ମିଳୁଛି ଭତ୍ତା ନା ମୁଣ୍ଡ ଉପରେ ଅଛି ଛାତ ଘର । ସେହିପରି ସ୍ୱାମୀ ହରାଇଥିବା ଜଣେ ୭୦ବର୍ଷର ବୃଦ୍ଧାଙ୍କ ଭତ୍ତା ଟଙ୍କାରେ ଚଳୁଛି ପରିବାର । ଦୟନୀୟ ଅବସ୍ଥାରେ ଚଳୁଛନ୍ତି ଗୋଟିଏ ପରିବାରର ତିନି ଜଣ ମହିଳା । ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ପଲାସ ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସୂଚନା ମୁତାବକ ବୌଦ୍ଧଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ ପଲାସ ଗ୍ରାମରେ ବିଧବା ବୃଦ୍ଧା ପଦ୍ମାବତୀ ଅର୍ଥାଭାବରୁ ନିଜର ଦୁଇ ଝିଅକୁ ବିବାହ କରିପାରିଲେନି । ତେବେ ଦୁଃଖ ଏତିକିରେ ସରି ଯାଇନି । ଦୁଇ ଝିଅକୁ ଅତ୍ୟଧିକ ବୟସ ହୋଇସାରିଥିଲେ ମଧ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ସାମିଲ କରି ଭତ୍ତା ପ୍ରଦାନ କରାଯାଇ ପାରିନାହିଁ । ଏପରିକି ଏହି ତିନି ଜଣ ଆବାସ ଯୋଜନାରେ ସାମିଲ ପାଇଁ ଯୋଗ୍ୟତା ଥିଲେ ମଧ୍ୟ କାହାକୁ ଆଜି ପର୍ଯ୍ୟନ୍ତ ସରକାରୀ ପକ୍କାଘର ଖଣ୍ଡେ ମିଳିପାରିନାହିଁ । ଫଳରେ ଏହି ଅସହାୟ ପରିବାରଟି ବୃଦ୍ଧା ମା’ର ଭତ୍ତା ଟଙ୍କାରେ ଚଳିବାକୁ ବାଧ୍ୟ ହେଉଛନ୍ତି । ଏନେଇ ପରିବାର ପକ୍ଷରୁ ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଗୁହାରି କଲେମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଗାଁର ଅନେକ ଲୋକଙ୍କ ଏହି ସମାନ ସମସ୍ୟା । ସେହିପରି ଅମୃତା ସାହୁ ବୟସ ଷାଠିଏ ଛୁଇଁଲାଣି କାମ କରିବା ପାଇଁ ବୟସ ନାହିଁ କି ଘର ଖଣ୍ଡେ କରିବାର ଦକ୍ଷତା ନାହିଁ । ସ୍ୱାମୀ ମରିବାର ଦଶ ବର୍ଷ ହେଲାଣି । ଘରେ କେହିନାହିଁ । ନିହାତି ଗରିବ ଶ୍ରେଣୀର ଏଇ ବୃଦ୍ଧା ମାଙ୍କ ସରକାରଙ୍କ ପକ୍କାଘର ଯୋଜନା ସାତ ସପନ ହୋଇଛି ।ବାରମ୍ବାର ଆବେଦନ କଲେ ବି କେହି ଶୁଣି ନାହାନ୍ତି । ଫଳରେ ଭଙ୍ଗା ଦଦରା ଘରେ ରହୁଛନ୍ତି ବୃଦ୍ଧା ଜଣକ । ଏ ନେଇ ଆମେ ବୌଦ୍ଧଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପଚାରିବାରୁ ତଦନ୍ତ କରି ତାଙ୍କୁ ଘର ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ସରକାର ଗରିବ ହିତାଧିକାରିମାନଙ୍କ ପାଇଁ ଅନେକ ଜନହିତକର ଯୋଜନା ମଧ୍ୟରେ ସବୁ କଚ୍ଚା ଘରକୁ ପକ୍କା ଘର କରିବାର ପ୍ରୟାସ କରୁଥିବାବେଳେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନର ଖାମଖିଆଲି ନୀତି ପାଇଁ ଅନେକ ଗରିବ ପରିବାର ସମସ୍ତ ଯୋଜନାରୁ ବଂଚିତ ହେଉଛନ୍ତି । ତେବେ ପଦ୍ମାବତୀ ଓ ଅମୃତାଙ୍କ ପରିବାରକୁ ତୁରନ୍ତୁ ଆବାସ ଯୋଜନାରେ ସାମିଲ କରି ପକ୍କାଘର ଯୋଗାଇଦେବା ପାଇଁ ଦାବି ହେଉଛି ।