ବୌଦ୍ଧ/ବାଉଁଶୁଣୀ,୨୨/୪- କରୋନାର ଦ୍ୱିତୀୟ ଲହର୍ ବୌଦ୍ଧଜିଲ୍ଲାରେ ତାର କାୟା ବିସ୍ତାରକରି ସାରିଥିବାବେଳେ ଅମାନିଆ କିନ୍ତୁ ମାନୁ ନାହାନ୍ତି ନୀତିନିୟମ । ବିନା ମାସ୍କ ଓ ବିନା ସାମାଜିକ ଦୂରତା ରକ୍ଷାକରି ଲୋକେ ସବୁଠି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ବୌଦ୍ଧ ସହରରେ ଅମାନିଆ ମାନଙ୍କ ଉପରେ ପୋଲିସ ଓ ପ୍ରଶାସନର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଟିକେ ସଚେତନ ହୋଇଛନ୍ତି । ବୌଦ୍ଧ, କଂଟାମାଳ, ମନମୁଣ୍ଡା, ପୁରୁଣାକଟକ ଓ ହରଭଙ୍ଗା ଥାନା ଅଂଚଳରେ ପୋଲିସ୍ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ଅମାନିଆ ମାନଙ୍କୁ ସାବାଡ କରୁଥିବା ଦେଖିବାକୁ ମିଳୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବାଉଁଶୁଣୀ ଥାନା ପୋଲିସ ଆଜିପର୍ଯ୍ୟନ୍ତ କରୋନା ସମ୍ପର୍କିତ କୌଣସି କାର୍ଯ୍ୟାନୁଷ୍ଠାନ ନିଜ ଥାନା ଅଂଚଳରେ ନେଇ ନଥିବା ଜଣାପଡିଛି । ଫଳରେ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ପୋଲିସର ନିଷ୍କ୍ରିୟତାକୁ ନେଇ ଘୋର ଜନ ଅସନ୍ତୋଷ ପ୍ରକାଶ ପାଉଛି । ବାଉଁଶୁଣୀ ଦୈନିିକ ବଜାର ଓ ଜାତୀୟ ରାଜପଥ ନମ୍ବର ୫୭ର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଗୁଡିକ ଉପରେ ଏ ଅଂଚଳର ଶତାଧିକ ଗ୍ରାମବାସୀ ନିର୍ଭର କରନ୍ତି । ପ୍ରତିଦିନ ବଜାରକୁ ଶହଶହ ଲୋକ ଆସୁଥିବାବେଳେ ଅନେକ ମାସ୍କ ପରିଧାନ କରୁନାହାନ୍ତି । କୌଣସି ସ୍ଥାନରେ ସାମାଜିକ ଦୂରତା ରକ୍ଷା ମଧ୍ୟ କରାଯାଉନଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ସଚେତନତା ଓ ଅମାନିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାୟିତ୍ୱ ଜିଲ୍ଲାପାଳ ପୋଲିସ୍ ପ୍ରଶାସନ ଉପରେ ନ୍ୟସ୍ତ କରିଥିଲେ ମଧ୍ୟ ବାଉଁଶୁଣୀ ପୋଲିସ୍ର ନିଦ ଏଯାଏଁ ଭାଙ୍ଗିନଥିବା ଜନସାଧାରଣରେ ଆଲୋଚନା ହେଉଛି । ବିଭିନ୍ନ ଅପରାଧିକ ମାମଲା ଉପରେ ବାଉଁଶୁଣୀ ପୋଲିସ୍ ତଦନ୍ତରେ ଶିଥିଳତା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଥିବା ବେଳେ କୋରନାଭଳି ମହାମାରୀ ସମୟରେ ମଧ୍ୟ ହାତବାନ୍ଧି ବସି ରହିବାକୁ ଜନସାଧାରଣରେ ନାପସନ୍ଦ କରାଯାଉଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ବାଉଁଶୁଣୀ ପୋଲିସକୁ ସକ୍ରିୟ କରାଇବା ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।