ୟୁକ୍ରେନରେ ଫସିରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ, ଉଦ୍ଧାର ପାଇଁ ବାପା ମାଙ୍କ ଆକୁଳ ନିବେଦନ

ବୌଦ୍ଧ,୨୭/୨:- ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଆଜକୁ ୪ଦିନ ହୋଇଥିବାବେଳେ ଆହୁରି ହଜାର ହଜାର ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବୌଦ୍ଧ ସହର ରାମେଶ୍ୱର ବିହାରର ସିଦ୍ଧାର୍ଥ ସାହିଲ ମହାପାତ୍ର ନାମକ ଜଣେ ଛାତ୍ର ଅଛନ୍ତିି । ସେ ୟୁକ୍ରେନ ରାଜଧାନୀ କିଭ୍‌ରେ ଫସି ରହିଛନ୍ତି । ସିଦ୍ଧାର୍ଥ ୟୁକ୍ରେନର କିଭ ମେଡିକାଲ ୟୁନିର୍ଭସିଟିର ୫ମ ବର୍ଷର ଛାତ୍ର । ସିଦ୍ଧାର୍ଥ ୨୦୨୦ ୟୁକ୍ରେନ ମେଡିକାଲ ୟୁନିଭରସିଟିରୁ କ୍ରକ୍‌ ଟପର ହୋଇଥିଲେ । ସିଦ୍ଧାର୍ଥଙ୍କ ଭିସା ସରିଯାଉଥିବାରୁ ଡାକ୍ତରୀ ପାଠ ଅଧାରେ ରହିଯିବା ଭୟରେ ସେ ଗତ ୧୨ ତାରିଖରେ ୟୁକ୍ରେନ ଯାଇଥିଲେ । କିନ୍ତୁ ହଠାତ୍‌ ଯୁଦ୍ଧ ପରିସ୍ଥିତି ହୋଇଯିବାରୁ ସେ ଆଉ ଫେରିପାରିନଥିଲେ । ସିଦ୍ଧାର୍ଥଙ୍କ ବାପା ପ୍ରଶାନ୍ତ କୁମାର ମହାପାତ୍ର ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ମା ଗୀତାରାଣୀ ମହାପାତ୍ର ବର୍ତ୍ତମାନ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଛନ୍ତି । ସିଦ୍ଧାର୍ଥ ବର୍ତ୍ତମାନ ଯେଉଁ ସ୍ଥାନରେ ରହିଛନ୍ତି ସେଠାରେ ପ୍ରବଳ ଗୁଳି ବର୍ଷଣ ହେଉଥିବାବେଳେ ଖାଇବା ପିଇବା ନେଇ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ତାଙ୍କ ବାପା ସୂଚନା ଦେଇଛନ୍ତି । ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ କୌଣସି ସହଯୋଗ ମିଳିପାରୁନଥିବାବେଳେ ଖାଦ୍ୟ ଓ ପାନୀୟଜଳର ମଧ୍ୟ ଘୋର ଅଭାବ ଦେଖାଦେଇଥିବା ତାଙ୍କ ନିକଟରୁ ସୂଚନା ମିଳିଛି । ଏକମାତ୍ର ପୁତ୍ର ସିଦ୍ଧାର୍ଥଙ୍କୁ ନେଇ ବାପା ମା ଚିନ୍ତାରେ ରହିଛନ୍ତି । ଓଡିଶା ତଥା ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଉଭୟ ବାପା ମା ଆକୁଳ ନିବେଦନ କରିଛନ୍ତି ।

Comments (0)
Add Comment