ଇକୋ କ୍ଲବ ପରିବେଶ ପ୍ରଦର୍ଶନୀରେ ସେଣ୍ଟ୍‌ ଜାଭିୟର୍ସ ସ୍କୁଲ ବୌଦ୍ଧ ପ୍ରଥମ

ବୌଦ୍ଧ,୨୮/୩:- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋକ୍ଲବ ତରଫରୁ ଏକ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ପରିବେଶ ଶିକ୍ଷାକେନ୍ଦ୍ର ସହଯୋଗରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଜିଲ୍ଲାର ୩ ଗୋଟି ବ୍ଲକ ଏବଂ ବୌଦ୍ଧ ଏନଏସିର ୫୦ ଟି ବିଦ୍ୟାଳୟ ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସମୁଦାୟ ୫୨ଟି ପରିବେଶ ପ୍ରକଳ୍ପ ସ୍ଥାନ ପାଇଥିଲା । ଏହି ପ୍ରଦର୍ଶନୀକୁ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ ଉଦଘାଟନ କରିଥିଲେ । ପ୍ରକଳ୍ପ ଗୁଡିକ ଦେଖି ଏଭଳି ନିଆରା ପ୍ରଦର୍ଶନୀର ପ୍ରଶଂସା କରିଥିଲେ । ଇକୋକ୍ଲବର ନୋଡାଲ ଅଫିସର ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ପ୍ରଦର୍ଶନୀର ଆଭିମୁଖ୍ୟ ଉପସ୍ଥାପନା କରିବାସହ ସମସ୍ତ ଶିକ୍ଷକ ଓ ଛାତ୍ରମାନଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ବକ୍ତା ଭାବେ ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ପ୍ରଧାନ ଯୋଗଦେଇ ପରିବେଶ ସହିତ ସ୍ୱାସ୍ଥ୍ୟର ସଂପର୍କ ବିଷୟରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ଯୋଗ ଦେଇଥିଲେ । ଏଥିରେ ଶକ୍ତି ସଞ୍ଚୟ, ଜଳ ଓ ମୃତ୍ତିକା ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଔଷଧିରେ ବୃକ୍ଷ, ଜୈବ ବିଭିନ୍ନତା, ଦେଶୀ ମାଣ୍ଡିଆ ଜାତୀୟ ଖାଦ୍ୟ ମୁଖ୍ୟତଃ ସ୍ଥାନ ପାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଏକ ସ୍ୱତନ୍ତ୍ର ଧରଣର ପ୍ରଦର୍ଶନୀକୁ ପ୍ରଶଂସା କରିବାସହ ବ୍ଲକସ୍ତରରେ ଆୟୋଜନ କରିବାକୁ ଆହ୍ୱାନ ଦେଇଥିଲେ ।

ଏହି ପ୍ରଦର୍ଶନୀରେ ସେଂଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ର ଆର୍ଯ୍ୟ ନାରାୟଣ ଦେବ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଚୁନୁ ମେହେର ଦ୍ୱିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମନିଷା ରାଣୀ ପୁରୋହିତ ଏବଂ କୁଣ୍ଢିପଦର ପ୍ରାଥମିକ ବିଦ୍ୟାଳୟର ଛାତ୍ର ସାଗର କର୍ଣ୍ଣ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ପ୍ରଦର୍ଶନୀର ବିବରଣୀ ଉପସ୍ଥାପନା କରିଥିଲେ । ଅଧ୍ୟାପକ ପ୍ରବୀର ଦାସ ମଞ୍ଚ ପରିଚାଳନା କରିଥିଲେ । ଖଲିଆବଗିଚା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର, ଇକୋକ୍ଲବର ଜିଲ୍ଲା ସଂଯୋଜକ ସ୍ୱରାଜ କୁମାର କହଁର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ ପ୍ରଦର୍ଶନୀରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ସମସ୍ତ ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟ କର୍ମଚାରୀ ନରେଶ ବେହେରା, ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଇକୋକ୍ଲବର ବୌଦ୍ଧ ବ୍ଲକ ଏବଂ ହରଭଙ୍ଗା ବ୍ଲକର ମାଷ୍ଟର ଟ୍ରେନର ପଦ୍ମଜା ପତି ଓ ସାଧୁଚରଣ ଦେହୁରୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

Comments (0)
Add Comment