ବୌଦ୍ଧ,୯/୧- ବୌଦ୍ଧଜିଲ୍ଲା ଓୟୁଜେ ଶାଖା ପକ୍ଷରୁ ସଭାପତି କମ୍ଭୁଧର କ୍ଷେତିଙ୍କ ଅଧ୍ୟକ୍ଷତାରେ ସାଧାରଣ ବୈଠକ ଓ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଶନିବାର ଇରିଗେସନ କଲୋନୀର ବିଶ୍ରାମ ସ୍ଥଳ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଞ୍ଜନ, କୋଷାଧକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ, ରାଜ୍ୟ ସଦସ୍ୟ ସଚ୍ଚିକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସମ୍ପାଦକ ମନରଞ୍ଜନ ନାଏକ ଦ୍ୱିବାର୍ଷିକ ବିବରଣୀ ପାଠ କରିଥିଲେ । ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ସହିତ ଅବସର ପରେ ମାସିକ ୧୦ ହଜାର ଟଙ୍କା ପେନସନ ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟ ବୀମା ୨ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ବୃଦ୍ଧି କରି ସେଥିରେ ବାପା, ମାଙ୍କୁ ସାମିଲ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ଏବଂ କୋଭିଡ ଟୀକାକାରଣ ସମୟରେ କୋଭିଡ ଯୋଦ୍ଧା ପରି କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କୁ ପ୍ରାଥମିକତା ଦିଆଯାଉ ବୋଲି ବୌଦ୍ଧ ଓୟୁଜେ ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କଠାରେ ଦାବି କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ଓୟୁଜେ ଜିଲ୍ଲା ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ କମ୍ଭୁଧର କ୍ଷେତି, ସାଧାରଣ ସମ୍ପାଦକ ଭାବେ ମନରଞ୍ଜନ ନାଏକ, ଉପସଭାପତି ନବକିଶୋର ମେହେର, ସହ ସମ୍ପାଦକ ଶେଷଦେବ ଦାସଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ ସଦସ୍ୟଭାବେ ଶିବଶଙ୍କର ବେହେରାଙ୍କୁ ମନୋନୀତ କରାଯାଇଥିବାବେଳେ ଚିରଞ୍ଜିବ ବିଶି, ସୁର୍ଯ୍ୟନ୍ଦୋ କୁମାର ଶତପଥି, ହୃଦାନନ୍ଦ ମେହେର ପ୍ରମୁଖ ସହଯୋଗ କରିଥିଲେ । ଉପ -ସଭାପତି ନବକିଶୋର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।