ବୌଦ୍ଧ,୯/୮ -ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମ ପଞ୍ଚ଼ାୟତର ଗାନ୍ଧୀଗ୍ରାମ ଗ୍ରାମ ନିକଟରୁ ଗତକାଲି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ୮ ତାରିଖ ଠାରୁ ୧୦ ତାରିଖ ଯାଏଁ ୭୨ ଘଣ୍ଟାପାଇଁ ଲାଣ୍ଡିବନ୍ଧ ପାୱାର ହାଉସ୍ଛକ ଠାରୁ ଗାନ୍ଧୀଗ୍ରାମ ପର୍ଯ୍ୟନ୍ତ ଅଞ୍ଚଳକୁ ସରପଞ୍ଚ ଅପରାଜିତା ବେହେରା କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ।
କଣ୍ଟେନମେଣ୍ଟ ଜୋନ ମଧରେ ଆସୁଥିବା ଅଂଚଳରେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ଓ ଅଧିକ ଲୋକ ଏକତ୍ର ନହେବା ପାଇଁ ସରପଞ୍ଚ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରିଛନ୍ତି । ଲୋକେ ଅତ୍ୟାବଶ୍ୟକ (ଔଷଧ ଓ ଶିଶୁ ଖାଦ୍ୟ )ସାମଗ୍ରୀ ସଂଗ୍ରହ କରିପାରିବେ । ଘର ଭିତରେ ରହି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ରୋକିବାରେ ସହାୟକ ହେବା ସହ ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ ବୋଲି ସରପଞ୍ଚ ଅନୁରୋଧ କରିଛନ୍ତି । ରୋଗୀଙ୍କୁ କୋଭିଡ୍ ହସପିଟାଲ ସ୍ଥାନାନ୍ତର ହେବାର ୩୦ ଘଣ୍ଟା ପରେ ଅର୍ଥାତ୍ ଆଜି ସକାଳ ୧୦ ଘଣ୍ଟା ପରେ ସରପଞ୍ଚ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଲୋକଙ୍କୁ ମାଇକ୍ ସାହାଯ୍ୟରେ ସୂଚନା ଦେବା ଘଟଣାକୁ ପଂଚାୟତବାସୀ ନାପସନ୍ଦ କରିଛନ୍ତି । କୋରନା ମହାମାରୀ ସମୟରେ ପ୍ରଶାସନ ତଥା ପଞ୍ଚାୟତ କର୍ତ୍ତୃପକ୍ଷ ଏତେ ଅବହେଳା ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଉଛି ।