ମାସ୍କ ବଣ୍ଟନ ସହିତ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

ହରଭଙ୍ଗା,୪/୯- କରୋନା ତୃତୀୟ ଲହରର ଆଶଙ୍କାକୁ ଆଖି ଆଗରେ ରଖି ସେବା କ୍ଷେତ୍ରରେ ଆଗେଇ ଆସିଛି ଲୋକ କଳା ବିକାଶ କେନ୍ଦ ସରସରା । ତୃତୀୟ ଲହରରେ ମୁଖ୍ୟତଃ ଶିଶୁମାନେ ଆକ୍ରାନ୍ତ ହେବେ ବୋଲି ଗବେଷକ ମାନେ ମତଦାନ କରିଛନ୍ତି । ମହିଳା ଓ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲକେବିକେ ସବୁବେଳେ ସବୁ ସମୟରେ ନିଜ ଅଞ୍ଚଳ ପାଇଁ କାମ କରି ଆସୁଛି । ଆଜି ଅନୁଷ୍ଠାନ ତରଫରୁ ପୁରୁଣାକଟକ ଓ ରାମଗଡ଼ ଉଚ୍ଚ ବିଦ୍ୟାଳୟର ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କୁ ଏନ ୯୫ ମାକ୍ସ ବଣ୍ଟନ କରାଯାଇଛି । ତା ସହିତ ନିଜ ଅଞ୍ଚଳରୁ କିପରି ବାଲ୍ୟ ବିବାହ ରୋକିବା , ବାଲ୍ୟ ବିବାହ ପରି ଅପରାଧଜନକ କାର୍ଯ୍ୟରୁ ନିଜେ ଏବଂ ନିଜ ଅଞ୍ଚଳବାସୀଙ୍କୁ କିପରି ଦୂରେଇ ରଖିବା ସେ ସଂପର୍କରେ ଆଲୋଚନା ହୋଇଥିଲା । ନିଜ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବାର ସୂଚନା ପାଇଲେ ତୁରନ୍ତ ହେଲ୍ପଲାଇନ ନମ୍ବର ୧୦୯୮ କୁ କଲ କରିବାକୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଜଣାଯାଇଥିଲା ।

ଉଭୟ ରାମଗଡ଼ ଏବଂ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସମସ୍ତଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତାପ ମେହେର ,ସୁପ୍ରିୟା ଦେହୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ହରଭଙ୍ଗା ବ୍ଲକର ବିଭିନ୍ନ ଉଚ୍ଚ ଼ବିଦ୍ୟାଳୟ ଏବଂ କଲେଜ ଗୁଡିକରେ ଆଗାମୀଦିନରେ ଏନ ୯୫ ମାକ୍ସ ବଣ୍ଟାଯିବ ବୋଲି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ମତ ପ୍ରକାଶ କରିଛନ୍ତି ।

Comments (0)
Add Comment