ବୌଦ୍ଧ ଜିଲ୍ଲା କଲଚରାଲ ଏକଡେମୀର ବିଷୁବ ମିଳନରେ “ଫେରାଇ ଦିଅ ମୋର ସବୁ ଶବ୍ଦ’ ପୁସ୍ତକ ଉନ୍ମୋଚିତ

ବୌଦ୍ଧ,୧୪/୪:- ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ବିଷୁବ ମିଳନ ଆସର ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ ଓ ଫିଚର ଲେଖକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଇଂରାଜୀ ଭାଷା ସାହିତ୍ୟ ପତ୍ରିକା ରକପେବଲର ସମ୍ପାଦକ ତଥା ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ କବିତାରେ ଶବ୍ଦ ସଂଯୋଜନା ମନର ଭାବକୁ ପ୍ରକାଶ କରିଥାଏ ବୋଲି କହିଥିଲେ । ଆମେ ଆଖିଖୋଲିଲେ ଦେଖିଥାଉ କିନ୍ତୁ କବି ଆଖି ବନ୍ଦ କରି ଦେଖିପାରେ । ସାହିତ୍ୟ ସାଧନା ମଣିଷକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ ବୋଲି ବକ୍ତବ୍ୟ ରଖିଥିଲେ । ୧୯୮୭ମସିହାରେ ଆରମ୍ଭ ହୋଇଥିବା ଇଂରାଜୀ ସାହିତ୍ୟ ପତ୍ରିକା ଡଃ ମାଝୀ ୩୫ ବର୍ଷ ହେଲା ପ୍ରକାଶିତ କରିଆସୁଛନ୍ତି । ଉକ୍ତ ପତ୍ରିକାର ମାର୍ଚ୍ଚ ସଂଖ୍ୟା ଏବଂ ଆଜିର ମୁଖ୍ୟବକ୍ତା ରୋମାଣ୍ଟିକ କବି କିଶୋର ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “ଫେରାଇ ଦିଅ ମୋର ସବୁ ଶବ୍ଦ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ବକ୍ତା ଭାବେ ରୋମାଣ୍ଟିକ କବି କିଶୋର ମିଶ୍ର ମଳୟ ଆସିଲେ ପ୍ରଥମେ ବହିବ ମୋ ପ୍ରିୟାର କେଶ ଛୁଇଁ, ଶ୍ରାବଣ ଆସିଲେ ପ୍ରଥମେ ଆସିବ ମୋ ପ୍ରିୟାର ଆଖି ଛୁଇଁ କବିତା ସହିତ କବି, ସାହିତ୍ୟ ଓ ନାରୀର ତୁଳନାତ୍ମକ ଆଲୋଚନା କରିଥିଲେ । କିଛି ଲୋକ “ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରୁଥିବାରୁ ତା ଉପରେ ମତ ରଖି କୌଣସି ଓଡିଶା ସାହିତ୍ୟକୁ ବିରୋଧ ନକରି ନୂତନ ସାହିତ୍ୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ । ଫୁଲର ଧର୍ମ ସେ ନିଶ୍ଚିତ ଫୁଟିବ, କଲମର ଧର୍ମ ସେ ନିଶ୍ଚିତ ଲେଖିବ ବୋଲି କହିଥିଲେ ଶିଶୁ ସାହିତ୍ୟିକ ତଥା କାର୍ଯ୍ୟକ୍ରମର ସଭାପତି ଶ୍ରୀ ଘିବେଲା । ମାଟି ମାଆ,ମାତୃଭାଷାକୁ ଭଲ ପାଇବା, ନିୟମିତ ଲେଖିବା, କିଛି ଲେଖିବାକୁ ହେଲେ ଅଧିକ ପଢିବା, ଲେଖିବା ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିବା ବୋଲି ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଯୁବ କବି ସୁଦୀପ୍ତ କୁମାର ପଣ୍ଡା କବିତା ସଂଯୋଜନା କରିଥିଲେ । କବି ସୁଜ୍ଞାନ ବାଘ, ଅରୁଣ କୁମାର ମେହେର, ସତ୍ୟନାରାୟଣ ଦେହୁରୀ, ଦେବେନ୍ଦ୍ର କୁମାର ଦେହୁରୀ, ରାଜକୁମାର ପ୍ରଧାନ, ଟଙ୍କଧର ସାହୁ, କିଶୋର ମିଶ୍ର, ଅଭିନବ ପଟ୍ଟନାୟକ, ସୁଶାନ୍ତ କୁମାର ମହାପାତ୍ର, ଅଖିଳ କୁମାର ପ୍ରଧାନ, ଧ୍ରୁବ ଚରଣ ଘିବେଲା ଓ ସୁଦୀପ୍ତ କୁମାର ପଣ୍ଡା ନିଜ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏକାଡେମୀର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ପରିଚୟ ଦେବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସତ୍ୟନାରାୟଣ ଦେହୁରୀ ଧନ୍ୟବାଦ ଦେଇଥିଲେ । ଶେଷରେ ପବିତ୍ର ପଣାସଂକ୍ରାନ୍ତି ଅବସରରେ ସମସ୍ତେ ପଣା ପାନ କରିଥିଲେ ।

Comments (0)
Add Comment