ବିଭିନ୍ନ ଦାବି ନେଇ ଭାରତୀୟ କିଷ।ନ ସଂଘ ତରଫରୁ ବିକ୍ଷୋଭ

ବୌଦ୍ଧ,୨/୯- ବୌଦ୍ଧଜିଲ୍ଲା ଭାରତୀୟ କିଷାନ ସଂଘ ତରଫରୁ ୭ ଦଫା ଦାବିନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରୁ ହଜାରହଜାର ଚାଷୀ ଏକ ଶୋଭାଯାତ୍ରାରେ କିଷାନ ସଂଘ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବିଗୁଡିକ ମଧ୍ୟରେ ବୌଦ୍ଧଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବାସହିତ ଚାଷୀଙ୍କୁ ଆନୁସଙ୍ଗିକ ସରକାରୀ ସାହାଯ୍ୟ ପ୍ରଦାନ, ଯୁଦ୍ଧକାଳୀନ ଭିତ୍ତିରେ ମରୁଡିଗ୍ରସ୍ତ ଜମିରେ କେଉଁ ଫସଲ ହେବ ତାହାରି ବୈଷୟିକ ଜ୍ଞାନ ଚାଷୀମାନଙ୍କ ପାଖରେ ପହଞ୍ଚାଇ ସେହି ଫସଲ ପାଇଁ ମାଗଣାରେ ସାର, ବିହନ, ଔଷଧ ଆଦି ଯୋଗାଇ ଦେବା, ବିଭିନ୍ନ ବ୍ୟାଙ୍କମାନଙ୍କୁ ଚାଷୀ ନେଇଥିବା ଋଣ ବିଚାରକରି ଫସଲ ହାନିର କ୍ଷତିପୂରଣ ପାଇଁ କୃଷି ବିଭାଗ ଓ ରାଜସ୍ୱ ବିଭାଗ ଚାଷୀମାନଙ୍କଠାରୁ ତୁରନ୍ତ ଦରଖାସ୍ତ ସଂଗ୍ରହକରି ବୀମାରାଶି ପାଇଁ ପଦକ୍ଷେପ ନେବାକୁ, ଜଳସେଚନ ପାଇଁ ଦୁଇଟି ପ୍ରକଳ୍ପ ଯଥା ଖଡଙ୍ଗ ନଦୀର ସାଡାଙ୍ଗ ଜଳଭଣ୍ଡାର ଶୀଘ୍ର ନିର୍ମାଣ, ହରଭଙ୍ଗା ବ୍ଲକର ସାଂପୋଚ, ରାମଗଡ ଓ ଧଳପୁରଠାରେ ହେବାକୁ ଥିବା ପ୍ରକଳ୍ପ ତୁରନ୍ତ ଅନୁମୋଦନକରି କାର୍ଯ୍ୟାରମ୍ଭ, ଶସ୍ୟହାନି ରାଶି ହେକ୍ଟର ପିଛା ୫୦ ହଜାରକୁ ବୃଦ୍ଧି ପ୍ରମୁଖ ରହିଛି । ଏହି ବିକ୍ଷୋଭ ଶୋଭାଯାତ୍ରାରେ ବିଜେପିର ନେତା ଓମପ୍ରକାଶ ମିଶ୍ର, ସୌମିତ୍ରୀ ନାୟକ, ଭୋଳାଗିରି ସାହୁ ସଂପାଦକ ବିଶିକେଶନ ପ୍ରଧାନ, ଦୁତିବାହନ କଂପ, ସୁଧାଂଶୁ ଡାଙ୍ଗ, ବିକାଶ ମହାକୁଡ, ପ୍ରେମାନନ୍ଦ ମିଶ୍ର, ଆରତ ଧଳଙ୍କ ସମେତ ହଜାରହଜାର ସଂଖ୍ୟାରେ ଚାଷୀ ସାମିଲ ହୋଇଥିଲେ । ଜିଲ୍ଲାପ୍ରଶାସନ ଜରିଆରେ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଚାଷୀ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment