ବୌଦ୍ଧ,୧୬/୧୧:- ଜିଲ୍ଲାସ୍ତରୀୟ ୭୦ତମ ସର୍ବ ଭାରତୀୟ ସମବାୟ ମହୋତ୍ସବ ଆଜି ବୌଦ୍ଧ ବୁଟୁପାଲିସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ ଶ୍ରୀଯୁକ୍ତ ମହୀଧର ରଣା ଯୋଗଦେଇଥିଲେ । ବୌଦ୍ଧ ଓ କନ୍ଧମାଳର ଡିଆରସିଏସ ଯୁଗଳ କିଶୋର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଉପ-ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ସମବାୟବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ, ଏଆରସିଏସ୍ ସଂପାଦକ ହାଡିବନ୍ଧୁ ମହାଖୁଡ ପ୍ରମୁଖ ଯୋଗଦେଇଥିଲେ । ଆରଏମସି ସଂପାଦକ ସଞ୍ଜୟ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମଞ୍ଚ ପରିଚାଳନା ଏଆରସିଏସ ଶ୍ରୀ ମହାଖୁଡ । ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ବନ୍ଦେ ଉକ୍ରଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରଣା ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ ଯୋଜନା ଉପରେ ବକ୍ତବ୍ୟ ରଖିବାସହ ଚାଷୀ ମାନଙ୍କ ପାଇଁ ବିନାସୁଧରେ ମିଳୁଥିବା ୧ଲକ୍ଷ ଟଙ୍କା ଋଣ ଓ ଏସଏଚଜି ମହିଳା ମାନଙ୍କ ପାଇଁ ୫ଲକ୍ଷ ଟଙ୍କା ବିନା ସୁଧରେ ଋଣ ଦିଆଯାଉଥିବାନେଇ ଚାଷୀଙ୍କୁ ଅବଗତ କରିଥିଲେ । ଏହି ଋଣ ଚାଷୀଙ୍କ ମୂଳଦୁଆକୁ ଆହୁରି ସଂଗଠିତ କରିବ ବୋଲି କହିଥିଲେ । ଜିଲ୍ଲାରେ ଚାଷୀଙ୍କ ଠାରୁ କିପରି ସୁରୁଖୁରୁରେ ଧାନ କିଣାଯିବ ସେ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ସକାଳ ୧୦ଟାରେ ଏକ ଗଣଦୌଡ ଆରଏମସି କାର୍ଯ୍ୟାଳୟ ସମ୍ମୁଖରୁ ବୁଟୁପାଲି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଗଣଦୌଡକୁ ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ବେହେରା, ଏଆରସିଏସ୍ ସଂପାଦକ ହାଡିବନ୍ଧୁ ମହାଖୁଡ ଉପସ୍ଥିତ ରହିଥିବାବେଳେ ସମସ୍ତ ସଂପାଦକ, ସଭାପତି ଓ ସୋସାଇଟିର ଅନ୍ୟାନ୍ୟ କର୍ମଚାରୀମାନେ ଗଣଦୌଡରେ ସାମିଲ ହୋଇଥିଲେ । ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।