ବିନା ଅକ୍ସନରେ ପାଲଝାର ଫାର୍ମର ଧାନ ବାହାରକୁ ଚାଲାଣ ଅଭିଯୋଗ

ବୌଦ୍ଧ,୩/୫- ବୌଦ୍ଧବ୍ଲକ ବଘିଆପଡା ଗ୍ରାମଠାରେ ଥିବା ପାଲଝାର୍‌ କୃଷି ଫାର୍ମରୁ ଆଜି ଗୋଟିଏ ୪୦୭ ମିନି ଟ୍ରକରେ ଧାନବସ୍ତା ଲଦା ଯାଉଥିବା ଓ ତାହା ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖବର୍‌ ପାଇ କିଛି ଗଣମାଧ୍ୟମର ପ୍ରତିନିଧି ପାଲଝାର୍‌ କୃଷି ଫାର୍ମରେ ପହଂଚିଥିଲେ । ସେଠାରେ ପହଁଚିବା ପରେ ଦେଖିବାକୁ ପାଇଥିଲେ ଫାର୍ମ ଗୋଦାମ ନିକଟରେ ଓ. ଆର. ୦୨ ଏକ୍ସ ୧୩୫୮ ନମ୍ବର୍‌ ବିଶିଷ୍ଟ ଏକ ୪୦୭ ମିନି ଟ୍ରକରେ ଧାନବସ୍ତା ଲଦାଯାଉଛି । ଗଣମାଧ୍ୟମ ପ୍ରତିନିଧିମାନେ ଫୋଟ ଓ ଭିଡିଓ ଉତ୍ତୋଳନ କରୁଥିବାବେଳେ ପାଲଝାରଫାର୍ମ କୃଷି ଅଧୀକ୍ଷକ ଓ ତାଙ୍କପୁଅ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାରଣ କରିବାସହ ଯୁକ୍ତିତର୍କ କରିଥିଲେ । ଏ ଧାନ ସରକାରୀ ଭାବେ ଭୁବନେଶ୍ୱର ଯାଉଥିବା କହି ସ୍ଥାନ ଛାଡି ଚାଲିଯିବାକୁ ତାଗିଦ କରିଥିଲେ । ଓଲଟା ତାଙ୍କର କେହି କିଛି କରି ପାରିବେ ନାହିଁ ଓ ସେ କୃଷିମନ୍ତ୍ରୀଙ୍କ ପାଖଲୋକ ବୋଲି କୃଷି ଅଧୀକ୍ଷକ ଧମକ ଦେଇଥିଲେ । ବିନା ଅକ୍ସନରେ କାହିଁକି ଓ କାହାପାଖକୁ ଧାନ ଯାଉଛି ସେ ସମ୍ପର୍କରେ କୌଣସି ସୂଚନା ଦେଇ ପାରିନଥିଲେ । ଏହି ଧାନବସ୍ତା ଗୁଡିକ ଅଧା ସାରବସ୍ତାରେ ଓ ଅଖାବସ୍ତାରେ ଭର୍ତ୍ତି ହୋଇ ଗାଡିରେ ଲୋଡ୍‌ କରାଯାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସରକାରୀ ନିୟମ ଅନୁସାରେ ଅକସନ ହୋଇଥିଲେ ଧାନବସ୍ତା ଗୁଡିକ ସିଲ୍‌ ହେବାସହ ଅଲଗା ପେକିଂ ହୋଇଥାଏ । ଆଗରୁ ମଧ୍ୟ ପାଲଝାର୍‌ କୃଷି ବିଭାଗ ଫାର୍ମରେ ଅନେକ ଦୁର୍ନୀତି ଚାଲିଥିବା ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଜିର ଧାନ ଚାଲାଣ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment