କଂକ୍ରିଟ ରାସ୍ତା କାମ ନିମ୍ନମାନର ଅଭିଯୋଗ

ବୌଦ୍ଧ,୧୪/୭ : ବୌଦ୍ଧସହରର ବ୍ରିଜଛକ ଠାରେ ଥିବା ୱେରହାଉସ ଚାଉଳ ଗୋଦାମକୁ ଯାଇଥିବା କଂକ୍ରିଟ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ଏହି ଚାଉଳ ଗୋଦାମକୁ ଯାଉଥିବା ରାସ୍ତାର ୫୫ ମିଟର ପାଇଁ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । କିନ୍ତୁ କଂକ୍ରିଟ କାମରେ ବାଲି ଗେଟି ଅଧିକ ପରିମାଣର ଦିଆଯାଉଥିବାବେଳେ ସିମେଣ୍ଟ ପରିମାଣ କମ୍‌ ଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କଂକ୍ରିଟ ରାସ୍ତାଟିକୁ ଦେଖିଲେ ମଧ୍ୟ ଏହା ଜଣାପଡୁଛି । ଏହି ଚାଉଳ ଗୋଦାମରୁ ଚାଉଳ ନେବାପାଇଁ ପ୍ରତିଦିନ ୨୦ ରୁ ୨୫ଟି ଟ୍ରକ ଆସୁଛି । ଏଭଳି ନିମ୍ନମାନର କାମ ଯୋଗୁଁ ଚକା ଦବିଯାଇ ଏକ ବଡ ଧରଣର ଦୁର୍ଘାଟଣା ମଧ୍ୟ ହୋଇପାରେ । ତେଣୁ କନିଷ୍ଠଯନ୍ତ୍ରୀ ଏହି କାମକୁ ଠିକ୍‌ ଭାବେ ତଦାରଖ କରି ଉପଯୁକ୍ତ ପରିମାଣର ବାଲି, ସିମେଣ୍ଟ ଓ ମେଟାଲ ଦେଇ ସଂପୃକ୍ତ ଠିକାଦାର କିପରି ରାସ୍ତା କାମ କରିବେ ସେଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment