ବ୍ଲକସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ

ବୌଦ୍ଧ,୨୯/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ବୈଠକ ଗୃହରେ ଆଜି ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ହରଭଙ୍ଗା ବିଡିଓ ସ୍ମିତା ରଥ, ଚାରିଛକ ଥାନା ଅଧିକାରିଣୀ ଜ୍ୟୋସ୍ନା କୁଅଁର, ହରଭଙ୍ଗା ପ୍ରକଳ୍ପ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନିରୁପମା ପାଣି, ବୌଦ୍ଧଜିଲ୍ଲା ବାଲ୍ୟବିବାହ ନିଷେଧ ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ, କ୍ଷେତ୍ର ପରିଦର୍ଶିକା ସୌଦାମିନି ପଣ୍ଡା, ଦିପ୍ତିମୟୀ ପାତ୍ର, ସିଆରସିସି ପ୍ରସନ୍ନ ଭୋକ୍ତା, ମିଶନ ଶକ୍ତି ବ୍ଲକ ସଂଯୋଜିକା ପଲ୍ଲବୀ ମଙ୍ଗରାଜ ଓ ବ୍ଲକସ୍ତରୀୟ ମହିଳା ମହାସଂଘର କୋଷାଧ୍ୟକ୍ଷା ଉମା ସୁନ୍ଦରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ଆଗକୁ ହରଭଙ୍ଗା ବ୍ଲକରେ କିପରି ଅଧିକରୁ ଅଧିକ ଗ୍ରାମ ବାଲ୍ୟବିବାହମୁକ୍ତ ହେବ ସେଥିପାଇଁ ମହାଲିକପଡା, କୁଶଙ୍ଗ ଓ ତଳଗାଁ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ପାଣି ମତବ୍ୟକ୍ତ କରିଥିଲେ । କିଶୋର କିଶୋରୀ ମାନଙ୍କୁ ପାଠ ସହିତ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଓ ତାଲିମରେ କିପରି ଅନ୍ତର୍ଭୁକ୍ତ କରାଯାଇପାରିବ ସେ ଉପରେ ବିଡିଓ ସୁଶ୍ରୀ ରଥ ମତବ୍ୟକ୍ତ କରିଥିଲେ । ପ୍ରକଳ୍ପ ସ୍ତରରେ କିଶୋର ବାଳକ, ବାଳିକା ତାଲିକା ପ୍ରସ୍ତୁତି ବିବରଣୀ, ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ସୁଶ୍ରୀ ଦାସ ଉପସ୍ଥିତ ସଦସ୍ୟମାନଙ୍କୁ ବୁଝାଇଥିଲେ । ଶେଷରେ କ୍ଷେତ୍ର ପରିଦର୍ଶିକା ସୌଦାମିନି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment