ବୌଦ୍ଧ,୧/୧୧- ଶିଶୁମାନଙ୍କ ସୁରକ୍ଷା କ୍ଷେତ୍ରରେ ଉକ୍ରୃଷ୍ଟ କାର୍ଯ୍ୟପାଇଁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଭୁବନେଶ୍ୱର ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କୁ ସମ୍ମାନୀତ କରିଛନ୍ତି । ଆୟୋଗର ପ୍ରତିଷ୍ଠା ଦିବସ ପାଳନ ଅବସରରେ କିଟ୍ ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଶ୍ରୀ ମିଶ୍ରଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ୟୁନିସେଫର ରାଜ୍ୟ ମୁଖ୍ୟ ମୋନିକା ନେଲସନ, ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ, ଶ୍ରମ ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାଏକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବାପାଇଁ ଗ୍ରାମପଞ୍ଚାୟତ/ବ୍ଲକ ଓ ଜିଲ୍ଲାସ୍ତରରେ ଥିବା ସମସ୍ତ କମିଟିଗୁଡିକୁ ସକ୍ରିୟ କରିବା, ଅଣ ଆନୁଷ୍ଠାନିକ ସେବା/ଅନୁଷ୍ଠାନ ମାଧ୍ୟମରେ ଶିଶୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ବାଲ୍ୟବିବାହ, ଶିଶୁଶ୍ରମିକ ଏବଂ ଶିଶୁକୁ ଯୈ÷ାନ ଶୋଷଣରୁ ସୁରକ୍ଷା ପ୍ରଦାନ ଆଇନ ଗୁଡିକର ବ୍ୟାପକ ସଚେତନତା କରିବାକୁ ପ୍ରାଧାନ୍ୟ ଦିଆଯାଇଥିବା ଜଣାପଡିଛି । ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟରତ ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା ୟୁନିଟ ଏବଂ କିଶୋର ନ୍ୟାୟ ବୋର୍ଡ ମଧ୍ୟ ଗୋଟିଏ ପରିସରରେ କାର୍ଯ୍ୟକାରୀ କରାଯାଇ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଅଛି । ଜିଲ୍ଲାକୁ ବାଲ୍ୟବିିବାହମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରାଯାଇ ୧୮୧ ଗ୍ରାମକୁ ବାଲ୍ୟବିବାହମୁକ୍ତ ଘୋଷଣା କରାଯାଇଅଛି ଓ ଗତ ବର୍ଷକ ମଧ୍ୟରେ ଜିଲ୍ଲାରେ ହେବାକୁ ଥିବା ୬୩ଗୋଟି ବାଲ୍ୟବିବାହକୁ ସଫଳତାର ସହ ରୋକାଯାଇପାରିଛି । ଏହି ସମ୍ମାନ ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାରେ ଶିଶୁମାନଙ୍କ ପାଇଁ କାର୍ଯ୍ୟକରୁଥିବା ସମସ୍ତ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ, ଶିଶୁ ମଙ୍ଗଳ କମିଟି, ଚାଇଲ୍ଡ ଲାଇନ କର୍ମକର୍ତ୍ତା ଓ ଜିଲ୍ଲାରେ ଶିଶୁ ମାନଙ୍କ ପାଇଁ କାମ କରୁଥିବା ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଏହି ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।