ବୌଦ୍ଧ,୧୭/୧୧- ବୌଦ୍ଧ ଜିଲ୍ଲାସ୍ତରୀୟ ଧାନକ୍ରୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୭ ତାରିଖରୁ କଣ୍ଟାମାଳ ବ୍ଲକରେ ଏବଂ ଡିସେମ୍ବର ୨୧ ତାରିଖରୁ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଧାନମଣ୍ଡି ଖୋଲିବାକୁ ନିଷ୍ପତି ନିଆଯାଇଛି । ପ୍ରତିବର୍ଷ ମିଲରମାନେ ଚାଷୀମାନଙ୍କ ଧାନକୁ ନିମ୍ନମାନର କହି କଟନି ଛଟନି କରୁଥିବା ଅଭିଯୋଗ ହେଉଥିବାରୁ ଚଳିତବର୍ଷ ଏହା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ତେଣୁ ଚାଷୀମାନେ ଏଫଏକ୍ୟୁ ମାନ ଅନୁଯାୟୀ ଧାନ ପ୍ରଦାନ କରିବେ ଓ ସେହି ଅନୁଯାୟୀ ନିର୍ଦ୍ଧାରିତ ମୂଲ୍ୟ ପାଇବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ସେଥିପାଇଁ ଏଫଏକ୍ୟୁ ମାନ ନିର୍ଣ୍ଣୟ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ତାଲିମ ବ୍ୟବସ୍ଥା ଓ ଯନ୍ତ୍ରପାତି ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ୪୧ ଗୋଟି ସୋସାଇଟି ସମେତ ୫୪ଗୋଟି ମଣ୍ଡି ଖୋଲାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସମବାୟ ସମିତି ଗୁଡିକରେ ଚାଷୀମାନଙ୍କଠାରୁ ସଂଗୃହୀତ ଧାନ ଗଛିତ ରଖିବା ପାଇଁ ଆବଶ୍ୟକୀୟ ଗୋଦାମ ବ୍ୟବସ୍ଥା ,ତାରପୋଲିନ,ପାନୀୟଜଳ ଆଦି ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛିି । ଧାନ କିଣାକୁ ଜିଲ୍ଲାରେ ସୁବ୍ୟବସ୍ଥିତ ଭାବରେ କରିବା ସହିତ ଚାଷୀମାନଙ୍କ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ବୈଠକରେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଜ୍ୟୋସ୍ନା ଭୋଇ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନ, ମିଲ ମାଲିକ ସଂଘ ସଭାପତି ଅଶୋକ କୁମାର ଅଗ୍ରୱାଲାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଚାଷୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ ।